ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ
ନୂଆଦିଲ୍ଲୀ (ସଂକେତ ଟିଭି) ଚନ୍ଦ୍ର ଅଭିମୁଖେ ଉଡାଣ ଆରମ୍ଭ କରିବାକୁ ଥିବା ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି।ଶ୍ରୀହରିକୋଟା ସ୍ଥିତି ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍-୨ରୁ ଶୁକ୍ରବାର ଦ୍ବିପହର ୨ଟା ୩୫ରେ ଏହି ଉତ୍କ୍ଷେପଣ ହେବ।
ସବୁ କିଛି ଠିକ୍ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଅବତରଣ କରିବ। ପରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡ଼ାଇବ। ଏହି ଯାନ ୭ଟି ବୈଜ୍ଞାନିକ ଉପକରଣକୁ ମହାକାଶକୁ ନେଇଯିବ। ଇସ୍ରୋର ବାହୁବଳୀ ରକେଟ ୬୪୨ ଟନ୍ର ଏଲଏମ୍-୩ ଚନ୍ଦ୍ରଯାନ-୩କୁ ମହାକାଶକୁ ନେବ। ଏହାର ଓଜନ ୧୩୦ ଏସୀୟ ହାତୀ ସହ ସମାନ। ଏହି ରକେଟର ଉଚ୍ଚତା ୪୩.୫ ମିଟର। ଏହା ଶହେ ପ୍ରତିଶତ ସଫଳ ହୋଇଛି।
୨୦୧୯ରେ ଚନ୍ଦ୍ରଯାନ-୨ର ଆଶିଂକ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହି ଅଭିଯାନ ପାଇଁ ଲାଗି ପଡ଼ିଥିଲା। ଚନ୍ଦ୍ରଯାନ-୨ର ଭୁଲ୍ ଶିକ୍ଷା ଗ୍ରହଣ କରି ସମ୍ଭାବିତ ବିପଦର ମୁକାବିଲା ପାଇଁ ପ୍ରୟାସ କରିଥିଲା। ଏ ସମ୍ବନ୍ଧରେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ବିସ୍ତୃତ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ୨୦୧୯ରେ ଚନ୍ଦ୍ରଯାନ-୨ର ସଫ୍ଟ ଲ୍ୟାଣ୍ଡିଂ ହୋଇପାରି ନ ଥିଲା। ଏହାର କାରଣ ଜାଣିବା ପାଇଁ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ସେତେବେଳେ ପ୍ରୋପଲେସନ ସିଷ୍ଟମରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ଲ୍ୟାଣ୍ଡର ଗତିକୁ ବଢ଼ାଇ ଦେଇଥିଲା। ଅବତରଣ ସମୟରେ ଗତି ହ୍ରାସ ପାଇବାକୁ ଥିବାବେଳେ ଏହା ହ୍ରାସବୃଦ୍ଧି ଜାରି ରଖିଥିଲା। ତେଣୁ ସଫ୍ଟୱାର ତାକୁ ନିୟନ୍ତ୍ରଣ କରିପାରି ନ ଥିଲା।
ସେପଟେ ଉତକ୍ଷେପଣ ପୂର୍ବରୁ ଗୁରୁବାର ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଚନ୍ଦ୍ରଯାନ-୩ର ଏକ କ୍ଷୁଦ୍ର ନକଲକୁ ନେଇ ବୈଜ୍ଞାନିକମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।