ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (ସଂକେତ ଟିଭି) ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଆଜି (ଶନିବାର) ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଦେବଗଡ, ବରଗଡ, ସୁନ୍ଦରଗଡ, ବୌଦ୍ଧ ଓ ସମ୍ବଲପୁର । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିବ ରହିବ । ଏବେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ ବର୍ଷା ଲାଗି ରହିଛି । ସେହିପରି ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ତାହା କ୍ରମେ ଏକ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲ୍ଲା – କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିବ । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।