ଫିଟିଲା ବଲାଙ୍ଗିର ଛାତ୍ରୀ ହତ୍ୟା ଘଟଣାର ଗୁମର, ପ୍ରେମରେ ସନ୍ଦେହରୁ ମାରିଦେଲା ପ୍ରେମିକ
ବଲାଙ୍ଗୀର (ସଂକେତ ଟିଭି) ପ୍ରେମ ପାଇଁ ବଲାଙ୍ଗୀର କଲେଜ ଛାତ୍ରୀ ଶେଷାଦ୍ରି ନାଗ ହତ୍ୟା ହୋଇଛି । ଏହି ଘଟଣାରେ ବଲାଙ୍ଗିର ଟାଉନଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରିଛି । ତେବେ ଘଟଣାରେ ଆଉ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସୂଚନା ଦେଇଛି ।
ବଲାଙ୍ଗୀର ଏସଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ, ୪ ବର୍ଷ ପୂର୍ବରୁ ବଲାଙ୍ଗୀର ନିଖିଲ ନଗରରେ ହୋଇଥିବା କଲେଜ ଛାତ୍ରୀ ଶେଷାଦ୍ରି ନାଗ ଓ ବଲାଙ୍ଗୀର ଆଗଲପୁର ଥାନା ରୋତ ଗାଁର ୨୧ ବର୍ଷିୟ ମିଲନ ରଣାଙ୍କ ଏକ ବାହାଘରରେ ଭେଟ ହୋଇଥିଲା । ପରେ କଥାବାର୍ତ୍ତା ହୋଇଥିଲେ । ଶେଷରେ ବନ୍ଧୁତା ପ୍ରେମର ରୂପ ନେଇଥିଲା । ହେଲେ ଶେଷାଦ୍ରିଙ୍କ ଆଉ କାହା ସହିତ ସଂପର୍କ ଥିବା ନେଇ ମିଲନର ସଂନ୍ଦେହ ହୋଇଥିଲା ।
ସୂଚନା ଅନୁସାରେ, ଗତ ୧୩ ତାରିଖ ଦିନ ସକାଳ ୧୧ଟା ସମୟରେ ମିଲନ ଶେଷାଦ୍ରିଙ୍କୁ ଭେଟିବାକୁ ଆସିଥିଲା । ତାସହ ଥିଲେ ତାର ଦୁଇ ସହଯୋଗୀ ଜିତୁ ରଣା ଓ ଅନ୍ୟ ଜଣେ । ଜିତୁ ବାହାରେ କିଛି ଦୂରରେ ବାଇକରେ ଛିଡା ହୋଇ ରହିଥିଲା । ମିଲନ ଓ ଆଉ ଜଣେ ସହଯୋଗୀ ଘର ପଛପଟ ରାସ୍ତା ଦେଇ ଘରକୁ ଯାଇଥିଲେ । ଘର ବାହାରେ ସହଯୋଗୀ ଥିବାବେଳେ ମିଲନ ଭିତରକୁ ଯାଇଥିଲା । କିଛି ସମୟ କଥା ହୋଇ ସେଠାରେ ଶେଷାଦ୍ରିଙ୍କ ସହ କଥା କଟା କଟି ହୋଇ ଧସ୍ତା ଧସ୍ତି ହୋଇଥିଲା । ଏନେଇ ମିଲନ ଶେଷାଦ୍ରିଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲା । ଫଳରେ ଶେଷାଦ୍ରି ତଳେ ପଡିଯାଇଥିଲେ ଓ ଅଚେତ ହୋଇଯାଇଥିଲେ । ମରିଯାଇଥିବା ଭାବି ମିଲନ ବାହାରକୁ ଚାଲିଆସିଥିଲା। ହେଲେ କାଳେ ବଞ୍ଚିଥିବ ଭାବି ପୁଣି ବାହାରେ ଥିବା ଏକ କଟୁରି ଧରି ଭିତରକୁ ଯାଇ ଶେଷାଦ୍ରିଙ୍କ ମୁଣ୍ଡରେ ବେକରେ ମାଡ ଚୋଟ ମାରିଥିଲା ।
ଘଟଣାସ୍ଥଳରୁ ସହଯୋଗୀ ସହ ପାହାଡ ନିକଟକୁ ଯାଇ କଟୁରି ଲୁଚାଇ ମିଲନ ଫେରାର ମାରିଥିଲା । ଜିତୁ ଦୁହିଁଙ୍କୁ ନେଇ ଷ୍ଟେସନରେ ଛାଡିଥିବା ବେଳେ ମିଲନ ଓ ଅନ୍ୟ ଜଣେ ସହଯୋଗୀ ଟ୍ରେନରେ ତ୍ରିପୁରା ଯିବା ଯୋଜନା କରି ଫେରାର ମାରିଥିଲେ । ତେବେ ଅଧ ବାଟରେ ରାୟଗଡା ପୋଲିସ ସହାୟତାରେ ଧରିଥିଲା ମିଲନକୁ ପୋଲିସ । ହେଲେ ସାଙ୍ଗରେ ଯାଇଥିବା ସହଯୋଗୀ କିନ୍ତୁ ପୋଲିସ ହାତରୁ ଖସି ଯାଇଥିଲା । ବିଜୟନଗରମରୁ ମିଲନକୁ ଓ ଜିତୁକୁ ସମ୍ବଲପୁରଠାରୁ ଗିରଫ କରିଥିଲା ପୋଲିସ । ଏନେଇ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଫେରାର ଥିବା ଆଉ ଜଣେ ସହଯୋଗୀକୁ ଧରିବା ପାଇଁ ଟିମ ବାହାରକୁ ଯାଇଥିବା ପୋଲିସ କହିଛି । ଏ ଘଟଣାରେ ଗୋଟିଏ କଟୁରୀ, ଗୋଟିଏ ମୋବାଇଲ, ଗୋଟିଏ ସାର୍ଟ ସହ ବାଇକ ପୋଲିସ ଜବତ କରିଛି ।