ଶିକ୍ଷକ ପଦବୀ ପୂରଣ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଚାଲିଚାଲି ଆସୁଥିଲେ ଛାତ୍ରଛାତ୍ରୀ

ବାରିପଦା (ସଂକେତ ଟିଭି) ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କମ୍ପୋଜିଟ ସ୍କୁଲର ଛାତ୍ରଛାତ୍ରୀମାନେ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟକୁ ଆସୁଥିଲେ । ଶିକ୍ଷକ ଅଭାବରୁ ଶିକ୍ଷାଦାନରେ ବ୍ୟତିକ୍ରମ ହେଉଥିବା ସେମାନେ ଅଭିଯୋଗ କରିଥିବାବେଳେ ତୁରନ୍ତ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟକୁ ଆସୁଥିଲେ । ସେମାନେ ପ୍ରାୟ ୪ କିଲୋମିଟର ବାଟ ଚାଲିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଧା ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଅଟକାଇ ବୁଝାସୁଝା କରିଥିଲେ । ଏହା ପରେ ସେମାନେ ସ୍କୁଲକୁ ଫେରିଥିଲେ ।

ସୂଚନା ଅନୁସାରେ, ସୁବର୍ଣ୍ଣରେଖା ଇରିଗେସନ୍ ପ୍ରୋଜେକ୍ଟ କମ୍ପୋଜିଟ ସ୍କୁଲରେ ୩୩୯ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ସ୍କୁଲରେ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ଏହାଫଳରେ ଠିକ୍ ଭାବେ ପାଠପଢ଼ା ହେଉନାହିଁ। ଏଣୁ ସ୍କୁଲକୁ ଆବଶ୍ୟକସଂଖ୍ୟକ ଶିକ୍ଷକ ଯୋଗାଇ ଦେବା ଦାବୀ ନେଇ ସେମାନେ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଚାଲିଚାଲି ଆସିଥିଲେ।