ଜମିବାଡ଼ି ବିବାଦକୁ ନେଇ ସଂଘର୍ଷ, ୯ ଗୁରୁତର
ଭଦ୍ରକ (ସଂକେତ ଟିଭି) ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୁଢସାହିରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। ଏଥିରେ ଦୁଇ ପରିବାରର ୯ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମୁଢସାହିର ଶ୍ୟାମସୁନ୍ଦର ପୃଷ୍ଟି ଓ କୃପାସିନ୍ଧୁ ପୃଷ୍ଟିଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା । ରବିବାର ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ତୀବ୍ରତର ହୋଇଥିଲା । ଏହାକୁ କେନ୍ଦ୍ର କରି ଉଭୟ ପରିବାର ରକ୍ତମୁଖା ହୋଇଯାଇଥିଲେ । ଆକ୍ରମଣରେ ୯ ଜଣ ଗୁରୁତର ହୋଇଥିଲେ । ୯ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି ।
ଗଣ୍ଡଗୋଳରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ବ୍ୟବହାର କରିଥିଲେ ଉଭୟ ପରିବାର । ଗଣ୍ଡଗୋଳରେ କାହାର ହାତ, ମୁଣ୍ଡ, ଗୋଡ ଓ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏନେଇ ଉଭୟ ପକ୍ଷରୁ ତିହିଡି ପୋଲିସ ଥାନାରେ ଏତଲା ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।