ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ

ବାଲେଶ୍ବର (ସଂକେତ ଟିଭି) ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନୀଳଗିରି ରୋଡ୍‌ ଷ୍ଟେସନ ପାଖରେ ବରଣସିଂ ଠାରେ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଛି ।

ସୂଚନା ଅନୁସାରେ ଭଦ୍ରକରୁ ବାଲେଶ୍ବରକୁ ଆସୁଥିବା ମେମୁ ଟ୍ରେନ ନୀଳଗିରି ଟ୍ରେନ ପରେ ଲୁପ ଲାଇନକୁ ଚାଲିଯାଇଥିଲା । ତେବେ ସେଠାରେ ମରାମତି କାର୍ଯ୍ୟ ଜାରି ଥିଲା । ଟ୍ରେନଟି ଧିମା ଗତିରେ ଥିବା ବେଳେ ଖରାପ ଥିବା ଟ୍ରାକରୁ ଅଳ୍ପ ଦୂରରେ ଅଟକିଥିଲା । ଟ୍ରାକରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରି ଲୋକୋ ପାଇଲଟ ଟ୍ରେନକୁ ଅଟକାଇଥିଲେ । ତେବେ ଟ୍ରେନଟି ଅଟକିବା ପରେ ଯାତ୍ରୀମାନେ ବାହାରକୁ ବାହାରି ଆସିଥିଲେ । ପରେ ଟ୍ରେନ ଟ୍ରାକରେ ତ୍ରୁଟି ଥିବା ଜଣାପଡିଥିଲା। ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ଟ୍ରାକର ଏମିତି ଅବସ୍ଥା ଦେଖି ତୁରନ୍ତ ବ୍ରେକ ଲଗାଇଥିଲେ। ପରେ ଟେକନିକାଲ ଟିମ ଆସି ତ୍ରୁଟି ସଜାଡ଼ିଥିଲେ । ସେପଟେ ମେମୁ ଟ୍ରେନଟିକୁ ଲୁପ୍ ଲାଇନରୁ ମେନ୍ ଲାଇନକୁ ପାଇଲଟ୍ ଆଣିବା ପରେ ଟ୍ରେନଟି ବାଲେଶ୍ଵରରେ ପହଞ୍ଚିଥିଲା ।

ତେବେ ପଏଣ୍ଟ ରିଭର୍ସ ସେଟରେ ସମସ୍ୟା ଥିବା ବେଳେ ସିଗନାଲ ଷ୍ଟାଫଙ୍କ ଅବହେଳା ଯୋଗୁଁ ମେମୁ ଟ୍ରେନ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତା । ଆଉ ଟିକେ ଆଗକୁ ଯାଇଥିଲେ ପଏଣ୍ଟ ଫାଟି ଯାଇ ଅନେକ ଲୋକଙ୍କ ଜୀବନ ଯାଇଥାନ୍ତା ବୋଲି କୁହାଯାଉଛି ।