ବିରୋଧୀ ମେଣ୍ଟ ଦଳର ନୂଆ ନାଁ ହେଲା ଇଣ୍ଡିଆ

ବେଙ୍ଗାଲୁରୁ (ସଂକେତ ଟିଭି) ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହୋଇଛି। ୨୦ରୁ ଅଧିକ ଦଳ ଯୋଗ ଦେଇଥିବା ଏହି ବୈଠକରେ ୟୁପିଏର ନୂଆ ନାମ ‘ଇଣ୍ଡିଆ’ ହୋଇଛି। ଏଣିକି ଇଣ୍ଡିଆନ୍‌ ନେସ୍‌ନାଲ୍‌ ଡେମୋକ୍ରାଟିକ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ) ନାମରେ ଏହି ମେଣ୍ଟ ଦଳକୁ ଜଣାଯିବ।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇ ଥର କେନ୍ଦ୍ରରେ କ୍ଷମତାରେ ଥିଲା। ଏହାର ଅଧ୍ୟକ୍ଷା ଥିଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ।

ଏହି ନୂଆ ନାମକରଣ ସଂପର୍କରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଥିଲେ ଯେ ‘ଦଳ କେବଳ ଏହି ଗୋଟାଏ ପ୍ରସଙ୍ଗରେ ନିଷ୍ପତ୍ତି ନେଉନାହାଁନ୍ତି। ବୈଠକରେ ଏକ ସାମୂହିକ ନିଷ୍ପତ୍ତି ନିଆଯିବ।’

ନୂଆ ନାଁ ସହ ସହ ଆରଜେଡି ଏବଂ ଶିବସେନା ନେତା ଟ୍ୱିଟ୍ କରିଛନ୍ତି । ଟିଏମସି ନେତା ଡେରେକ ଓବ୍ରାୟନ ମଧ୍ୟ ଚକ ଦେ ଇଣ୍ଡିଆ ଟ୍ୱିଟ୍ କରିଛନ୍ତି । I.N.D.I.A ନାମକ ଏହି ମେଣ୍ଟରେ ତାମିଲନାଡୁର ଡିଏମକେଠାରୁ ଜାମ୍ମୁ କାଶ୍ମୀର ଏନସି ଏବଂ ପିଡିପି ସାମିଲ ଅଛନ୍ତି । ମୋଟ ୨୬ଟି ରାଜନୈତିକ ଦଳ ଏଥିରେ ସାମିଲ ଅଛନ୍ତି । ମୋଟ ୨୬ ଦଳଙ୍କ ଏହି ଗୋଷ୍ଠୀର ନୂଆ ନାଁ ରାହୁଲ ଗାନ୍ଧୀଙ୍କ ପରାମର୍ଶରେ ଦିଆଯାଇଛି । ଯାହାକୁ ସବୁ ସଦସ୍ୟ ବୈଠକରେ ସମର୍ଥନ କରିଥିଲେ ।

ସମାଜବାଦୀ ପାର୍ଟିର ସାଂସଦ ଜାଭେଦ ଅଲି ଖାନ କହିଛନ୍ତି ଯେ ରାହୁଲ ଗାନ୍ଧୀ ବୈଠକରେ ଏହା ଉପରେ ପ୍ରସ୍ତାବ ଦେଇଥିଲେ । ବୈଠକରେ ଉପସ୍ଥିତ ଅନ୍ୟ ସବୁ ଦଳ ଏହାକୁ ସ୍ୱାଗତ କରିଥିଲେ । ଆରଜେଡି କଟାକ୍ଷ କରି ଲେଖିଛି ଯେ ବିଜେପିକୁ ଏବେ I.N.D.I.A କହିବାରେ ମଧ୍ୟ ଅସୁବିଧା ହେବ ।

ନୂଆ ନାମକୁ ନେଇ ମିଡିଆକର୍ମୀଙ୍କ ପ୍ରଶ୍ନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଆମେ ସବୁ ଏକଜୁଟ ହୋଇ ରହିବୁ । ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଯେ ଆମ ୨୬ ଦଳର ଯେଉଁ ବୈଠକ ହୋଇଛି ସେଥିରୁ ସ୍ପଷ୍ଟ ହୋଇଛି ଯେ ଆଜିଠାରୁ ନୂଆ ଆହ୍ୱାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସବୁ ନିର୍ବାଚନୀ ଅଭିଯାନ, ସବୁ ନିର୍ବାଚନ ପ୍ରଚାର ଗୋଟିଏ ବ୍ୟାନର ତଳେ ହେବ- I.N.D.I.A । କେହି କେଜ୍ରିୱାଲ କହିଛନ୍ତି ଯେ ଆଜି ୨୬ ପାର୍ଟି ଏବଂ ଆମେ ନିଜ ପାଇଁ ଏକାଠି ହୋଇ ନାହୁଁ.. ଆମକୁ ଦେଶକୁ ରକ୍ଷା କରିବାର ଅଛି ।