୮୦ ବର୍ଷୀୟା ବୃଦ୍ଧାକୁ ଦୁଷ୍କର୍ମ କଲା ଜଣେ ୨୦ ବର୍ଷୀୟ ଯୁବକ

ସମ୍ବଲପୁର (ସଂକେତ ଟିଭି) ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ୮୦ ବର୍ଷୀୟା ବୃଦ୍ଧାକୁ ଦୁଷ୍କର୍ମ କଲା ଜଣେ ୨୦ ବର୍ଷୀୟ ଯୁବକ । କେହି ନଥିବାବେଳେ ଘରେ ପଶି ବୃଦ୍ଧାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡିତା ବୃଦ୍ଧା ଗୁରୁତର ଅବସ୍ଥାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି । ଏନେଇ ଧନୁପାଲି ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ବୃଦ୍ଧା ନିଜ ଘରେ ଏକୁଟିଆ ଥିଲେ । ଏତିକି ବେଳେ ଜଣେ ୨୦ ବର୍ଷୀୟ ଯୁବକ ତାଙ୍କ ଘରେ ପଶି ବୃଦ୍ଧାଙ୍କୁ କିଛି ଖାଇବାକୁ ଦେଇଥିଲା । ଏହାପରେ କବାଟ ଭିତରୁ ପଟୁ ବନ୍ଦ କରି ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ଜଣେ ପାଖ ପଡୋଶୀ ବୃଦ୍ଧାଙ୍କ ଘରୁ ଯାଇ ତାଙ୍କ ଖାଇବା କଥା ପଚାରିଥିଲେ । ହେଲେ କବାଟ ବନ୍ଦ ଥିବାବେଳେ ବୃଦ୍ଧା ଭିତରୁ କୌଣସି ଉତ୍ତର ଦେଇନଥିଲେ । ତାଙ୍କର ସନ୍ଦେହ ହେବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଧନୁପାଲି ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ସନ୍ଧ୍ୟାରେ ବୃଦ୍ଧାଙ୍କ ଘରକୁ ଯାଇ କବାଟ ଭାଙ୍ଗି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛି । ବର୍ତ୍ତମାନ ପୀଡିତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।