ଲାଞ୍ଚ ନେବାବେଳେ ଧରାପଡିଲେ ଚାନ୍ଦିପୁର ଥାନାର ଆଇଆଇସି, ଏଏସଆଇ

ବାଲେଶ୍ବର (ସଂକେତ ଟିଭି) ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତିଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ମଦ ବେପାରୀଙ୍କ ଠାରୁ ମାସିକିଆ ଲାଞ୍ଚ ନେଉଥିବାବେଳେ ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଉଭୟଙ୍କୁ ଭିଜିଲାନ୍ସ ଅଧିକାରୀ ହେପାଜତକୁ ନେଇଛି ।

ଆଜି ଦିନ 3ଟା ସମୟରେ ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି ଚାନ୍ଦିପୁରଥାନା ନିକଟରେ ବଳରାମଗଡିର ଏକ ଠିପି ଖୋଲା ମଦ ଦୋକାନ ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡି ବସିଥିଲା । ସେମାନେ ମାସିକିଆ ୫୦ ହଜାର ଟଙ୍କା ବଟି ନଦେଲେ ଦୋକାନ ଚଳାଇବାକୁ ଦେବୁ ନାହିଁ ବୋଲି ଧମକ ଦେଇଥିବା ମଦଦୋକାନ ମାଲିକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

ଭିଜିଲାନ୍ସ ଟିମ୍ ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି । ଏହି ମାମଲାରେ ଭିଜିଲାନ୍ସ 6ଟି ସ୍ଥାନରେ ଚଢାଉ କରୁଛି । ଚାନ୍ଦିପୁର ଥାନାରେ ଥିବା ଆଇଆଇସି ଓ ଏଏସଆଇଙ୍କ ଅଫିସ ସମେତ ଗଣେଶ୍ବର ପ୍ରଧାନଙ୍କ କେନ୍ଦୁଝରର ଅସଡାରେ ଥିବା ପୌତୃକ ଘର, ପ୍ରଦୀପ ମହାନ୍ତିଙ୍କ ସୋରଠାରେ ଥିବା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତଠାରେ ଥିବା ପୈତୃକ ଘର ଉପରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଏସପି ନରହରି ନାଏକ ସୂଚନା ଦେଇଛନ୍ତି ।