ଅଳିଆ ସଫା କରୁନଥିବା ହୋଟେଲ ଆଗରେ ଆବର୍ଜନା ଗଦା କଲେ ବିଏମସି କର୍ମଚାରୀ

ଭୁବନେଶ୍ୱର (ସଂକେତ ଟିଭି) ରାସ୍ତାରେ ଅଳିଆ ପକାଇଥିବା ହୋଟେଲ ଆଗରେ ଅଳିଆ ଗଦାଇଲେ ଭୁବନେଶ୍ୱର ମହାନଗର ନିଗମର କର୍ମଚାରୀ । ଭୁବନେଶ୍ବର କଳ୍ପନା ଛକ ନିକଟରେ ଥିବା ବଂଶୀଧର ହୋଟେଲ ଆଗରେ ଏହି ଅଳିଆ ଗଦା କରାଯାଇଥିଲା ।

ସୂଚନା ଅନୁସାରେ, ବଂଶୀଧର ହୋଟେଲରୁ ନିର୍ଗତ ଅଳିଆ ହୋଟେଲ ମାଲିକ ଦୀର୍ଘ ଦିନ ଧରି ରାସ୍ତା ଉପରେ ପକାଇ ରଖିଥିଲେ । ଏନେଇ ବିଏମ୍‌ସିର ପରିମଳ କର୍ମଚାରୀ ଅବଗତ କରିବା ପରେ ବି ହୋଟେଲ ମାଲିକ ଶୁଣିନଥିଲେ । ସ୍ଥାନୀୟଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ପରିବେଶ ମଧ୍ୟ ସୃଷ୍ଟି ହେଉଥିଲା ।

ବିଏମ୍‌ସି କମିଶନର ହୋଟେଲ୍‌ ନିକଟରେ ଗୁରୁବାର ଦିନ ସକାଳେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କମିଶନରଙ୍କ ଉପସ୍ଥିତିରେ ରାସ୍ତାରେ ପଡିଥିବା ଅଳିଆକୁ ଟ୍ରାକ୍ଟରେ ଆଣି ବଂଶୀଧର ହୋଟେଲ ସାମ୍ନାରେ ଜମା କରିଥିଲେ । ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ ଯଦି ଅଳିଆ ସଫା ନ କରିବେ, ତେବେ ଆଗକୁ ସେହି ଅଳିଆ ସବୁ ଦୋକାନ ଆଗରେ ପଡିବ ବୋଲି କମିଶନର ରୋକ୍‌ଠୋକ୍‌ କହିଛନ୍ତି । ପରିମଳ ସଫେଇରେ ଅସହଯୋଗ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।