ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ, ସାରା ବିଶ୍ବରେ ଆଲୋଡନ

ଇମ୍ଫାଲ (ସଂକେତ ଟିଭି) ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ । ଗତକାଲି ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ମେଇତି ବହୁଳ ଜିଲ୍ଲା ଥୌବଲରେ ସେମାନଙ୍କ ସହ ଏଭଳି ପାଶବିକତା ଘଟିଛି । ଦୁଇ ମହିଳା କୁକି ସମ୍ପ୍ରଦାୟର ଏବଂ କାଙ୍ଗପୋକପି ନିବାସୀ ଅଟନ୍ତି। ମେଇତି ସମ୍ପ୍ରଦାୟର କିଛି ଲୋକ ସେମାନଙ୍କୁ ଯୌନ ଉତ୍ପୀଡନ ଦେବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏହାପରେ ଧାନ ବିଲକୁ ନେଇ ଗଣଦୁଷ୍କର୍ମ କରିଯାଇଥିବା ଅଭିଯୋଗ ହୋଇଛି ।

ଉଲଗ୍ନ କରି ବୁଲାଇବା ପରେ ଗଣଦୁଷ୍କର୍ମ ପୀଡିତା କହିଛନ୍ତି ଯେ ମେ ୩ରେ ତାଙ୍କ ଗାଁରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟରେ ୮୦୦ରୁ ୧୦୦୦ ଲୋକେ ମାରଣାସ୍ତ୍ର ଧରି ଗାଁରେ ପଶିଥିଲେ । ଲୋକଙ୍କୁ ଆକ୍ରମଣ କରିବା ସହ ଲୁଟପାଟ ଓ ପୋଡାଜଳା କରିଥିଲେ । ଆକ୍ରମଣ ପରେ ତାଙ୍କ ପରିବାରର ୫ ଜଣ ସଦସ୍ୟ ୩ ମହିଳା ୨ ପୁରୁଷ ଭୟରେ ଜଙ୍ଗଲ ଆଡକୁ ପଳାଇ ଯାଇଥିଲେ । ହେଲେ ବାଟରେ ଏକ ଉଗ୍ର ଭିଡ ସେମାନଙ୍କୁ ଅଟକାଇଥିଲା । ଦୁର୍ବୃତ୍ତମାନେ ପ୍ରଥମେ ୨୦ ବର୍ଷୀୟା ଯୁବତୀଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ଜୋରଜବରଦସ୍ତ ମହିଳାମାନଙ୍କ ପୋଷାକ ଖୋଲି ଉଲଗ୍ନ ଅବସ୍ଥାରେ ବିଲ ଆଡକୁ ଟାଣି ଟାଣି ନେଇଥିଲେ । ସେଠାରେ ପ୍ରଥମେ ସବୁଠୁ ଛୋଟ ୨୦ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାକୁ ବିରୋଧ କରିବାରୁ ପୀଡିତାଙ୍କ ନାବାଳକ ଭାଇକୁ ହତ୍ୟା କରିଦେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ତିନି ଜଣ ମହିଳା ପରେ ଦୁର୍ବୃତ୍ତଙ୍କ ପାଖରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ ଆଇଟିଏଲଏଫ ଏଭଳି ଘୃଣ୍ୟ ତଥା ଜଘନ୍ୟ କାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ସେହିପରି ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ସହ କଥା ହୋଇଛନ୍ତି ।

ଏହି ବିଷୟରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ସଂସଦର ମୌସୁମୀ ଅଧିବେଶନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ଖୁବ୍‌ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ । କ‌ୌଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା ଅନୁଚିତ।

ଦେଶବାସୀଙ୍କୁ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, କ‌ୌଣସି ଦୋଷୀ ତ୍ରାହି ପାଇବେ ନାହିଁ। ସମସ୍ତ ସାମର୍ଥ୍ୟ ଲଗାଇ ଆଇନ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମଣିପୁରୀ କନ୍ୟାମାନଙ୍କ ପ୍ରତି ହୋଇଥିବା ଭ୍ୟବିଚାର କ୍ଷମଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ବ୍ୟକ୍ତ କରି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିବା ଅଞ୍ଚଳରେ ନାରୀଙ୍କୁ ଉପଯୋଗ କରିବା ଘଟଣା ଅସହ୍ୟ। ଏ ଭିଡିଓ ଆମକୁ ଖୁବ୍‌ ବ୍ୟଥିତ କରିଛି। ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ। ଏବେ ଏଥିରେ ସରକାର ହସ୍ତ‌କ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟ ଆସିଛି। ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ। ଦୁଃଶ୍ଚିନ୍ତାର କାରଣ।

ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିବା ସହିତ ସେ ଅଞ୍ଚଳର ନାରୀ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନିଆଗଲା ସେ ବିଷୟରେ ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇବା ଉଚିତ ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି।