ସାଉଦି ଆରବରେ ଫସିରହିଥିବା ଓଡିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର (ସଂକେତ ଟିଭି) ରାଜ୍ୟ ସରକାର ସାଉଦି ଆରବରେ ଫସିରହିଥିବା ୩୩ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି । ଏହି ଶ୍ରମିକମାନଙ୍କୁ ଗୋଟିଏ ଠିକା ସଂସ୍ଥା ଗତବର୍ଷ ଓଡ଼ିଶାରୁ ସାଉଦି ଆରବ ପଠାଇଥିଲା । କମ୍ପାନୀ ସେମାନଙ୍କୁ ୬ ମାସର ଭିସା ଦେଇ ପଠାଇଥିଲା।
ଭିସା ଅବଧି ସରିଯିବା ପରେ ସମ୍ପୃକ୍ତ କମ୍ପାନୀ ଆଉ ଧରାଛୁଆଁ ଦେଉନି । ଭିସା ନଥିବାରୁ ୩୩ ଜଣ ଶ୍ରମିକ ସାଉଦି ଆରବରେ ଭୋକ ଉପାସରେ ଅଛନ୍ତି । କମ୍ପାନୀ ଶ୍ରମିକଙ୍କ ଦରମା ବି ବକେୟା ରଖିଛି । ଏପରିକି ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ମଧ୍ୟ ଠିକା ସଂସ୍ଥା ପକ୍ଷରୁ କୌଣସି ଉଦ୍ୟମ କରାଯାଉନି । ଏ ନେଇ ଶ୍ରମିକମାନେ ଗୋଟିଏ ଭିଡିଓ ଜାରି କରି ଭାଇରାଲ୍ କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ ଗଲ୍ଫ ର ଓଡ଼ିଆ ସୋସାଇଟି ସହିତ ଯୋଗାଯୋଗ କରି ଶ୍ରମିକମାନଙ୍କ ଟେଲିଫୋନ୍ ନମ୍ବର ସଂଗ୍ରହ କରିଥିଲେ । ପରେ ଓଡ଼ିଆ ସୋସାଇଟିର କର୍ମକର୍ତ୍ତା ଶ୍ରମିକଙ୍କୁ ଭେଟି ସେମାନଙ୍କ ଉଦ୍ଧାର ତ୍ବାରାନ୍ବିତ କରିବାକୁ ନିର୍ଦ୍ଦେଶାଳୟକୁ ଜଣାଇଥିଲେ ।