ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଅଭିଯୋଗକାରୀ ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ (ସଂକେତ ଟିଭି) ‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲାରେ ପାଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍ ଗାନ୍ଧୀ କରିଥିବା ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି । ଏହି ଘଟଣରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନୋଟିସର ଜବାବ ଦାଖଲ କରିବା ପାଇଁ ପୂର୍ଣ୍ଣେଶ କୋର୍ଟକୁ ୨୧ ଦିନ ମାଗିଥିଲେ, କିନ୍ତୁ କୋର୍ଟ ତାଙ୍କୁ ୧୦ ଦିନ ଅନୁମତି ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ରେ ହେବ। ବିଚାରପତି ବି. ଆର୍. ଗୱାଇଙ୍କ ଖଣ୍ଡପୀଠ ଏହି ଶୁଣାଣୀ କରିଥିଲେ ।
ମୋଦୀ ସାଙ୍ଗିଆ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ, କିନ୍ତୁ ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ମନା କରି ଦେଇଥିଲେ।
ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଥିଲେ କୋର୍ଟ। ମୋଦୀ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।
ସୂଚନା ଥାଉକି, ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳିନଥିଲା। ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ମାର୍ଚ୍ଚ ୨୩ ରେ, ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରଦିନ ରାହୁଲ ଲୋକସଭା ସଦସ୍ୟତା ହରାଇଲେ। ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଥିଲା।ତାପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ।