ଶିମିଳିପାଳ ପାଦଦେଶ ଅଂଚଳରୁ ୪ଟି କଲରାପତରିଆ ବାଘ ଛାଲ ଜବତ, ୩ଜଣ ଗିରଫ

ବାରିପଦା (ସଂକେତ ଟିଭି) ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ତଥା ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ଚଢାଉ କରି ବନ ବିଭାଗ ୪ଗୋଟି କଲରାପତରିଆ ବାଘ ଛାଲ ଜବତ କରିଛି। ଏଥି ସହିତ ଘଟଣାରେ ଜଡିତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ତିନି ଗୋଟି ମୋବାଇଲ ଫୋନ ଜବତ ହୋଇଛି।

ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କଲରାପତରିଆ ବାଘ ଛାଲ ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସେ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ମିଳିତ ଭାବେ ଚଢ଼ାଉର ରୂପରେଖ ସ୍ଥିର କରିଥିଲେ।

ଉଭୟଙ୍କ ଅଧିନରେ ଥିବା ଅଧିକାରୀ ଓ କର୍ମଚାରୀ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ପୂର୍ବକ ଶିମିଳିପାଳ ପାଦଦେଶରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଲଦା ଗ୍ରାମରେ ଚଢ଼ାଉ କରାଯାଇଥିଲା ।

ତେବେ କେବେ ଓ କେଉଁଠାରେ ଏହି ବାଘଗୁଡିକୁ ଶିକାର କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।