ଆଧାର ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର, ଆଉ ସହଜ ହେବନାହିଁ ଦ୍ବିତୀୟ ବିବାହ
ଭୁବନେଶ୍ୱର (ସଂକେତ ଟିଭି) ଆଧାର କାର୍ଡ ସହ ସଂଯୋଗ ହେବ ବିବାହ ପ୍ରମାଣପତ୍ର ବା ସାର୍ଟିଫିକେଟ୍। ଏହା ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ପାଇଁ ହେବ ଏକମାତ୍ର ପ୍ରମାଣପତ୍ର ଏବଂ ଯେକୌଣସି ସ୍ଥାନରେ ବିବାହର ତଥ୍ୟ ଆଧାର ନମ୍ବରରେ ମିଳିପାରିବ । ରାଜ୍ୟ ମହିଳା ଆୟୋଗ ଏଭଳି ଏକ ବ୍ୟବସ୍ଥା ଆଣିବାକୁ ଯୋଜନା କରିଛନ୍ତି ।
ନିୟମ ଅନୁଯାୟୀ, ପ୍ରତ୍ୟେକ ବିବାହ ପଞ୍ଜୀକରଣ କରାଇବାକୁ ଯୋଜନା କରାଯିବ। ଏଥିପାଇଁ ଜିଲ୍ଲାସ୍ତରରେ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟ ରହିବ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଜାତୀୟ ମହିଳା ଆୟୋଗ ସହ ଏସମ୍ପର୍କରେ ରାଜ୍ୟ ମହିଳା ଆୟୋଗ ପ୍ରସ୍ତବା ଦେବା ସହ ଆଲୋଚନା କରିଛି। ଏକାଧିକ ବିବାହ ରୋକିବାକୁ ଏଭଳି ଉପାୟ ଆପଣାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।
ଏହି ପ୍ରସ୍ତାବ ଅନୁସାରେ, ଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବା ଦରକାର। ଫଳରେ ଯେକୌଣସି ସ୍ଥାନରେ ବିବାହିତ ବ୍ୟକ୍ତିଙ୍କ ସଠିକ୍ ତଥ୍ୟ ଉପଲବ୍ଧ ହୋଇପାରିବ। ଏହି ପ୍ରସ୍ତାବ ସମ୍ପର୍କରେ ପୁନର୍ବାର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ ସେଲ୍ଫ ଖୋଲାଯାଇ ଦମ୍ପତିମାନେ ସେଠାରେ ନିଜର ଆଧାରକାର୍ଡ ଦେଖାଇ ବିବାହ ସାର୍ଟିଫିକେଟ୍ ପାଇଁ ଆବେଦନ କରିପାରିବେ। ପରବର୍ତ୍ତୀ ସମୟରେ ଆଧାରକାର୍ଡ ଓ ବିବାହ ପଞ୍ଜିକୃତ ସାର୍ଟିଫିକେଟ୍ ଲିଙ୍କ୍ କରି ଗୋଟିଏ ପ୍ଲାଟଫର୍ମରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିବା ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି।
ବିଭିନ୍ନ ସମୟରେ ପ୍ରଥମ ପତ୍ନୀ କିମ୍ୱା ପତି ଥାଇ ଅନେକ ଦମ୍ପତି ଲୁଚି ଲୁଚି ଅନ୍ୟତ୍ର ବିବାହ କରୁଥିବା ଅଭିଯୋଗ ହେଉଛି। ଏହି ସତ୍ୟ ସାମ୍ନାକୁ ଆସିବା ପରେ ଅନେକ ଦମ୍ପତିଙ୍କ ମଧ୍ୟରେ ପାରିବାରିକ ସମସ୍ୟା ସୃଷ୍ଟି ହେବା ସହ ବିଶ୍ୱାସଘାତକତାର ଶିକାର ହେଉଛନ୍ତି । ଏହାକୁ ରୋକିବା ପାଇଁ ଆଧାର କାର୍ଡ ସହ ବିବାହ ପ୍ରମାଣପତ୍ର ସଂଯୋଗ ସହାୟକ ହେବ ।