ବିରୋଧୀ ମେଣ୍ଟ ଇଣ୍ଡିଆକୁ ବିଦ୍ରୂପ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି) ‘ବିଜେପି’ ସଂସଦୀୟ ପାର୍ଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’କୁ ବିଦ୍ରୂପ କରିଛନ୍ତି । ଖାଲି ‘ଇଣ୍ଡିଆ’ ଶବ୍ଦଟିକୁ ଯୋଡ଼ିଦେଲେ ସଫଳତା ମିଳିବ ନାହିଁ ବୋଲି ସେ ସଂସଦର ମୌସୁମୀ ଅଧିବେଶନର ୪ର୍ଥ ଦିନରେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଲି ‘ଇଣ୍ଡିଆ’ ଶବ୍ଦଟିକୁ ଯୋଡ଼ିଦେଲେ ସଫଳତା ମିଳିବ ନାହିଁ। ‘ଇଷ୍ଟ୍‌ ଇଣ୍ଡିଆ କମ୍ପାନି’ ଏବଂ ‘ଇଣ୍ଡିଆନ୍‌ ମୁଜାହିଦୀନ୍‌’ ମଧ୍ୟ ‘ଇଣ୍ଡିଆ’ ଶବ୍ଦ ବ୍ୟବହାର କରି ସଫଳ ହୋଇ ନ ଥିଲେ।

ମଣିପୁର ଘଟଣାକୁ ନେଇ ସଂସଦରେ ବିଶୃଙ୍ଖଳା କରୁଥିବା ବିରୋଧୀ ଦଳମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଉଦ୍ଦେଶ୍ୟହୀନ ବିରୋଧ ମୁଁ କେବେ ଦେଖିନାହିଁ। ବିରୋଧୀମାନେ ବିଚ୍ଛିନ୍ନ ଓ ହତାଶ ହୋଇଯାଇଛନ୍ତି। ସେମାନଙ୍କ ମନୋଭାବରୁ ଜଣାପଡୁଛି ଯେମିତି ସେମାନଙ୍କର ଅଧିକ ଦିନ କ୍ଷମତାରେ ରହିବାର ଇଚ୍ଛା ନାହିଁ।

ପ୍ରଧାନମନ୍ତ୍ରୀଙ୍କ କଥାକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାଜ୍ୟସଭାରେ କହିଛନ୍ତି, ମଣିପୁର ପ୍ରସଙ୍ଗରେ ବିତର୍କ ପାଇଁ ଆମେ କହୁଛୁ କିନ୍ତୁ, ପ୍ରଧାନମନ୍ତ୍ରୀ ମ‌ୋଦୀ ‘ଇଷ୍ଟ୍‌ ଇଣ୍ଡିଆ କମ୍ପାନି’ ବିଷୟରେ କହୁଛନ୍ତି।