ଜଳ ଯୋଗାଣ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭବାନୀପାଟଣା (ସଂକେତ ଟିଭି) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କିଶୋରଙ୍କ ଅଫିସ ଓ ଭବାନୀପାଟଣା ସ୍ଥିତ ଘର ଭିଜିଲାନ୍ସ ଟିମ୍‌ ଯାଞ୍ଚ କରୁଛି ।

କିଶୋରଙ୍କ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା ବିଶିଷ୍ଟ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ନର୍ଲା ଥାନା ବଳସପୁରରେ ଥିବା ପୈତୃକ ଘରେ ଭିଜିଲାନ୍ସ ବିଭାଗ ଏକ କାଳୀନ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍‌ ଥିବା ଜଣାପଡ଼ିଛି। ଏଥି ସହିତ ତାଙ୍କ ଘରୁ ନଗଦ ୬ଲକ୍ଷ ଟଙ୍କା, ସୁନା ଗହଣା ଓ ଅନେକ ସ୍ଥାନରେ ଜମି କିଣିଥିବା ନେଇ ଭିଜିଲାନ୍ସ ଟିମ୍‌ ସୂଚନା ପାଇଛି। କୋରାପୁଟ ଓ ଜୟପୁର ଡିଭିଜନର ଭିଜିଲାନ୍ସର ୩୦ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।