କ୍ଷମତା ପାଇଁ ବିଜେପି ଦେଶକୁ ନଷ୍ଟ କରିସାରିଲାଣି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି) ମଣିପୁର ହିଂସା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ବିବୃତରେ ସେ ଉଲ୍ଲେଖ କରିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ଗତ ଗୁରୁବାରରୁ ଆଲୋଚନା ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ମଣିପୁରରେ ହିଂସା ଏବେବି ଚାଲିଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କ୍ଷମତା ଲାଗି ସମଗ୍ର ଦେଶ ଜଳୁ ବୋଲି ଚାହାନ୍ତି ବୋଲି ସେ କହିଛନ୍ତି ।
ରାହୁଲ କହିଛନ୍ତି ଯେ ବିଜେପି ଓ ଆର୍ଏସ୍ଏସ୍ କେବଳ କ୍ଷମତା ଚାହାନ୍ତି । ଏଥିପାଇଁ ସେମାନେ ସବୁକିଛି କରିପାରନ୍ତି । କ୍ଷମତା ଲାଗି ସେମାନେ ମଣିପୁରକୁ ଜାଳୁଛନ୍ତି । ସମଗ୍ର ଦେଶକୁ ଜାଳିବାକୁ ସେମାନେ ଚେଷ୍ଟା କରୁଛନ୍ତି । ଲୋକମାନଙ୍କର ଦୁଃଖ, ଯନ୍ତ୍ରଣା ପ୍ରତି ତାଙ୍କର ଧ୍ୟାନ ନାହିଁ । କ୍ଷମତା ପାଇଁ ଏମାନେ କିଛି ବି କରିପାରନ୍ତି । ମଣିପୁର, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶକୁ ମଧ୍ୟ ଜଳିବାକୁ ଛାଡିଦେବେ । କାରଣ ସେମାନେ କ୍ଷମତାରେ ଅଛନ୍ତି । ଆମେ ଭାରତକୁ ଭଲପାଉ । କୌଣସି ଜାଗାରେ ହିଂସା ହେଲେ ଆମକୁ ବାଧେ । ମାତ୍ର ବିଜେପି ଓ ଆର୍ଏସ୍ଏସ୍ର ଏଥିପ୍ରତି ଆଦୌ ଧ୍ୟାନ ନାହିଁ ।
ଯୁବ କଂଗ୍ରେସ କର୍ମୀମାନଙ୍କୁ ଭର୍ଚୁଆଲି ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି ଯେ ଯୁବ କଂଗ୍ରେସ କର୍ମୀମାନେ ମଣିପୁର ଭଳି ଘଟଣା ଘଟିବାବେଳେ ବ୍ୟକ୍ତିଗତ ସ୍ତରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । କିନ୍ତୁ ବିଜେପି, ଆର୍ଏସ୍ଏସ୍ କେବେହେଲେ ଏଭଳି ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । ଏହାର କାରଣ ହେଲା ଏମାନେ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ସମ୍ବିଧାନ ଉପରେ ବିଶ୍ୱାସ କରେ । କଂଗ୍ରେସ ଏବଂ ବିଜେପି, ଆର୍ଏସ୍ଏସ୍ ମଧ୍ୟରେ ବିଚାରଧାରା ଲଢ଼େଇ ଚାଲିଛି । ଦେଶକୁ ଏକାଠି କରିବା ଓ ଅସମାନ ସାମାଜିକ ବ୍ୟବସ୍ଥା ବିରୋଧରେ କଂଗ୍ରେସ କାର୍ଯ୍ୟ କରେ । ବିଜେପି ଓ ଆର୍ଏସ୍ଏସ୍ ଚାହୁଁଛନ୍ତି କେବଳ କିଛି ନିର୍ଦ୍ଦିଷ୍ଟ ଲୋକ ଦେଶକୁ ଚଳାନ୍ତୁ । ସବୁ ସମ୍ପତ୍ତିର ମାଲିକ ହୁଅନ୍ତୁ ।
ମଣିପୁରରେ କ’ଣ ସବୁ ଘଟୁଛି ଆପଣମାନେ ସମସ୍ତେ ଦେଖୁଛନ୍ତି । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୋଟିଏ ଶବ୍ଦ କହୁନଥିବା ଘଟଣାରେ ଆପଣ ଆଦୌ ଆଶ୍ଚର୍ଯ୍ୟ ହୁଅନ୍ତୁନାହିଁ । ଆପଣ ଭାବିନେବା ଦରକାର ଯେ ଯଦି ଭାରତରେ କୌଣସି ଗୋଟିଏ ରାଜ୍ୟ ଜଳୁଛି ତେବେ ଭାରତର ପ୍ରଧାନମନ୍ତ୍ରୀ ସବୁଠାରୁ ଶେଷରେ ପ୍ରତିକ୍ରିୟା ଦେବେ । ଏହାର କାରଣ ହେଉଛି ସେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କର ପ୍ରଧାନମନ୍ତ୍ରୀ । ସେ ଭଲଭାବେ ଜାଣିଛନ୍ତି ତାଙ୍କ ବିଚାରଧାରା ଯୋଗୁ ମଣିପୁରରେ ହିଂସା ସୃଷ୍ଟି ହୋଇଛି । ତୃଣମୂଳ ସ୍ତରରେ ଘଟୁଥିବା ଘଟଣା, ମହିଳା ଓ ଛୋଟ ପିଲାଙ୍କର ଯନ୍ତ୍ରଣାରେ ସେ ଆଦୌ ପ୍ରଭାବିତ ନୁହଁନ୍ତି ।