ବନ୍ଦେ ଭାରତ ଟ୍ରେନରେ ମିଳୁଥିବା ଖାଦ୍ୟରେ ମିଳିଲା ଅସରପା

ନୂଆଦିଲ୍ଲୀ (ସଂକେତ ଟିଭି) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଭୋପାଳର ରାଣୀ କମଲାପତି ରେଳ ଷ୍ଟେଶନରୁ ଗ୍ୱାଲିଅର୍ ଅଭିମୁଖେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରେ ଏକ ଅସରପା ପଡିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟରେ ଅସରପା ଦେଖି ଯାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ମାଧ୍ୟମରେ କ୍ୟାଟରିଂର ବ୍ୟବସ୍ଥା କରିଥିବା କଣ୍ଟ୍ରାକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୫ ଜୁଲାଇରେ ଏହି ଘଟଣା ଘଟିଥିଲା। କୋଚ ନମ୍ବର ସି-୮, ସିଟ ନମ୍ବର ୫୭ରେ ଭୋପାଳରୁ ଗ୍ବାଲିଅରକୁ ଯାଉଥିବା ଜଣେ ଯାତ୍ରୀଙ୍କୁ ପରଟା ପରିବେଷଣ କରାଯାଇଥିଲା। ଯାତ୍ରୀ ଜଣଙ୍କ ତାଙ୍କ ପରିବାର ସହିତ ଏହି ଖାଦ୍ୟ ଖାଉଥିବାବେଳେ ସେଥିରୁ ଅସରପା ମିଳିଥିଲା। ଏହା ପରେ ଯାତ୍ରୀ ଏବଂ ତାଙ୍କ ସମ୍ପର୍କୀୟମାନେ ରେଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।