ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜରିଆରେ ପ୍ରୟୋଜକ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଲେ ଅଭିନେତ୍ରୀ

ଭୁବନେଶ୍ବର (ସଂକେତ ଟିଭି) ଓଲିଉଡ୍ ର ଜଣେ ଜଣାଶୁଣା ଅଭିନେତ୍ରୀ ଶୀତଲ ପାତ୍ର ଦୟା ଏଂଟରଟେନମେଂଟର ମାଲିକ ଦୟାନିଧି ଦହିମାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଦୟାନିଧି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ନେଇ ଶୀତଲ ଅଭିଯୋଗ ଆଣିଛନ୍ତି । ଲକ୍ଷ୍ମୀସାଗର ଥାନାରେ ଏନେଇ ଏତଲା ଦିଆଯାଇଛି ।

ଅଭିଯୋଗ ମୁତାବକ ୨୦୧୯ ମସିହାରେ ଶୀତଲ ଦୟାନିଧିଙ୍କ ସହିତ ସଂପର୍କରେ ଥିଲେ । ଏହି ସମୟରେ ଦୟାନିଧି ଶୀତଲଙ୍କର ଅଂତରଙ୍ଗ ମୁହୁର୍ତ୍ତର ଫଟୋ ଏବଂ ଭିଡିଓ ତିଆରି କରିଥିଲେ । ପରେ, ସେ ଏହାକୁ ବ୍ୟବହାର କରି ବ୍ଲାକମେଲ କରିବା ଆରମ୍ଭ କରିବା ସହିତ ଫଟୋ ଓ ଭିଡିଓଗୁଡ଼ିକୁ ତାଙ୍କ ମା ଏବଂ ସଂପର୍କୀୟଙ୍କ ନିକଟକୁ ପଠାଇଥିଲେ ।

ଶୀତଲ ୨୮ ମାର୍ଚ୍ଚରେ ଫେସବୁକରେ ଶୀତଲ ଲେଖିଛନ୍ତି ଯେ, ସୋସିଆଲ ମିଡିଆର ବ୍ୟବହାର କରି ମିଛ ଖବର ତିଆରି କରିବା ଏକ ଅପରାଧ । ଏହାପରେ ସେ ଦୟାନିଧି ଦହିମାଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ଦୟା ଏଂଟରଟେନମେଂଟର ମାଲିକ ଦୟାନିଧି ଦହିମା ଏକାଧିକ ଫେକ୍ ଆକାଉଣ୍ଟ ଖୋଲିଥିବା ଓ ମିଛ ଖବର ତିଆରି କରିଥିବା କଥା ମାନିଛନ୍ତି ବୋଲି ଶୀତଲ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଜଣେ ମହିଳାଙ୍କ ପାଇଁ ଏହା କେତେ ମାନସିକ ଯନ୍ତ୍ରଣା ସୃଷ୍ଟି କରେ, ତାହା ସମସ୍ତେ ବୁଝିବା ଉଚିତ୍ । କାମ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବାବଦରେ ସମସ୍ତ କଳାକାର, ବିଶେଷ କରି ମହିଳାମାନେ ସତର୍କ ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଅଭିନେତ୍ରୀ ଶୀତଲ । ଏହି ପୋଷ୍ଟ ସହ ଏକ ହାତଲେଖା ଚିଠି ମଧ୍ୟ ସେୟାର କରିଛନ୍ତି ଶୀତଲ । ଯେଉଁ ଚିଠିଟି ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କୁ ୨୭ ମାର୍ଚ୍ଚରେ ଲେଖା ଯାଇଛି । ଦୟା ଏଂଟରଟେନମେଂଟର ମାଲିକ ଦୟାନିଧି ଦହିମା ଆଇଆଇସିଙ୍କୁ ଶୀତଲ ଏହି ଚିଠିଟି ଲେଖିଥିବା ଦର୍ଶାଇଛନ୍ତି ।

ଚିଠିରେ, ସୋସିଆଲ ମିଡିଆରେ ମିଛ ଆକାଉଂଟ ଖୋଲି ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସମ୍ମାନ ହାନୀ କରିବାକୁ ପ୍ରୟାସ କରିଥିବା କଥା ଦୟା ମାନିଛନ୍ତି । ଅନ୍ୟ ବ୍ୟକ୍ତିଙ୍କ ସହ ଶୀତଲଙ୍କ ନାଁକୁ ଯୋଡି ମିଛ ଖବର ପ୍ରସାରଣ କରିଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି । କେବଳ ଶୀତଲଙ୍କୁ ବଦନାମ କରିବା ପାଇଁ ସେ ଏପରି କରିଥିବା ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କୁ ଜଣାଇଛନ୍ତି ।

ନାୟିକାଙ୍କ ଓକିଲ ସୌମ୍ୟଜିତ ବିଶ୍ୱାଳଙ୍କ କହିବାନୁଯାୟୀ, ଅଭିନେତ୍ରୀଜଣକ ଏକ ବିଜ୍ଞାପନରେ କାମ କରିବା ବେଳେ ସମ୍ପୃକ୍ତ ନିର୍ଦ୍ଦେଶକ, ପ୍ରୟୋଜକଙ୍କ ସହ ତାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଉଭୟଙ୍କ ସମ୍ପର୍କ କ୍ରମଶଃ ଘନିଷ୍ଠ ହେବାକୁ ଲାଗିଲା। ଅଭିନେତ୍ରୀଜଣକ ଓଲିଉଡର ଆଗଧାଡ଼ିର ଅଭିନେତ୍ରୀ ହୋଇଥିବାରୁ ତାଙ୍କ ହାତରେ ବହୁ ପ୍ରୋଜେକ୍ଟ ଥିଲା। ମାତ୍ର ଅନ୍ୟ ପ୍ରୋଜେକ୍ଟରେ କାମ ନ କରିବାକୁ ନିର୍ଦ୍ଦେଶକଜଣକ ତାଙ୍କୁ ବାଧ୍ୟ କରିବା ସହ ଧମକ ଦେଉଥିଲେ। ଏପରିକି କାମ କଲେ ସେଥିରେ ତାଙ୍କୁ ନିର୍ଦ୍ଦେଶକ ଭାବେ ନେବାକୁ ଚାପ ପକାଇବାକୁ କହିଲେ। ଅଭିନେତ୍ରୀଙ୍କ ଭାବମୂର୍ତ୍ତିକୁ ବ୍ୟବହାର କରି ଅର୍ଥ ରୋଜଗାର କରିବାକୁ ଚେଷ୍ଟା କରୁଥିଲେ।

ମାତ୍ର ଅଭିନେତ୍ରୀଜଣକ ତାଙ୍କ କଥାରେ ଅରାଜି ହେବାରୁ ସେ ତାଙ୍କ ନିକଟକୁ ଫେକ୍‌ ନୋଟିସ୍‌ ପଠାଇବା ସହ ତାଙ୍କ ମା’ଙ୍କୁ ଓ ଭାଇଙ୍କୁ ଫୋନ୍ କରି ଧମକ ଦେଉଥିଲେ। ଏପରିକି ଅନ୍ତରଙ୍ଗ ଫଟୋ ଭାଇରାଲ କରୁଥିଲେ। ୨ ବର୍ଷ କାଳ ନିର୍ଦ୍ଦେଶକଜଣକ ଅଭିନେତ୍ରୀଙ୍କୁ ଏପରି ମାନସିକ ନିର୍ଯାତନା ଦେଇ ଚାଲୁଥିବା ବେଳେ କ୍ୟାରିଅର ବରବାଦ ହେବା ଆଶଙ୍କାରେ ଅଭିନେତ୍ରୀଜଣକ ଏହାକୁ ଚୁପଚାପ ସହି ଚାଲିଥିଲେ। ମାତ୍ର ନିର୍ଯାତନା ସୀମା ଟପିବା ପରେ ଅଭିନେତ୍ରୀଜଣକ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ତାଙ୍କ ଓକିଲ ।

ପ୍ରାୟ ୩,୪ ମାସ ତଳେ ପୁଲିସ୍‌ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ନିର୍ଦ୍ଦେଶକଜଣକ ପୁନର୍ବାର ଏପରି କାମ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରେ ସେ ପୁଣିଥରେ ପୂର୍ବପରି ଅଭିନେତ୍ରୀଙ୍କୁ ହଇରାଣ କରିବାକୁ ଲାଗିଲେ। ଅଭିନେତ୍ରୀଜଣକ କାମ କରୁଥିବା ପ୍ରୋଜେକ୍ଟରୁ ତାଙ୍କୁ ବିଦା କରିଦେଲେ। ଏପରିକି ତାଙ୍କ ନିକଟରୁ ପ୍ରାୟ ୮୦ ହଜାର ଟଙ୍କା ନେଇଥିବା ବେଳେ ପୁଲିସ୍‌ ଧମକ ଶୁଣି କିଛି ଟଙ୍କା ଫେରାଇଛନ୍ତି।

ଏହାସତ୍ତ୍ୱେ ନିର୍ଦ୍ଦେଶକଜଣକ ନିଜ ପୁରୁଣା କାମରୁ କ୍ଷାନ୍ତ ନ ହେବାରୁ ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ଅଭିନେତ୍ରୀ ଗତ ୭ ଦିନ ତଳେ ନ୍ୟାୟ ପାଇଁ ଏସଡିଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଚାରପତି ସମସ୍ତ କଲ୍‌ ରେକର୍ଡ ଓ ଭିଡିଓ ଦେଖିବା ପରେ ଆସନ୍ତା ୭ ଦିନ ଭିତରେ ମାମଲା ରୁଜୁ କରିବାକୁ ପୁଲିସ୍‌କୁ କହିଛନ୍ତି। ପୁଲିସ୍‌ ୩ ଦିନ ତଳେ ଏଫଆଇଆର ରୁଜୁ କରି ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଖୋଜୁଛି।