ମିଛ ତଥ୍ୟ ଦେଇ ଚାକିରିରୁ ବହିଷ୍କୃତ ହେଲେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) ଏକ କେସ୍‌ର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ରାଜ୍ୟ ସରକାର ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଅଭିଯୁକ୍ତକୁ ସାହାଯ୍ୟ ପାଇଁ ସାକ୍ଷୀଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା।

ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଅଭିଯୁକ୍ତ ଆନନ୍ଦ ସରାଫ ଛାଡ଼ ପାଇଯାଇଥିଲେ । ଆନନ୍ଦ ସେତେବେଳେ ବରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଥିଲେ । ସୂଚନା ଅନୁସାରେ ୨୦୧୧ରେ ଉପେନ୍ଦ୍ରଭଞ୍ଜ ବରଗଡ଼ ସୋହେଲା RWSS ସେକ୍ସନରେ ଜେଇ ଥିଲେ । କିରାଣି ଆନନ୍ଦ ସରାଫଙ୍କ କେସ୍‌ରେ ଦେଇଥିବା ତଥ୍ୟ ବଦଳାଇ ଭୁଲ୍ ଦେଇଥିଲେ । ମିଥ୍ୟା ତଥ୍ୟ ଦେଇ ଉପେନ୍ଦ୍ରଭଞ୍ଜ ଅଭିଯୁକ୍ତକୁ ଖସାଇ ଦେଇଥିଲେ ।