ତୁମ ପୁଅ କେତେ ରନ୍ କରିଛି, ଅମିତ ଶାହଙ୍କୁ ବିଦ୍ରୂପ କରି କହିଲେ ଷ୍ଟାଲିନ୍
ଚେନ୍ନାଇ (ସଂକେତ ଟିଭି) ତାମିଲନାଡୁ ଗସ୍ତ କରି ବଂଶବାଦ ରାଜନୀତି ଉପରେ ଟିପ୍ପଣୀ ଦେଇଥିବା ଅମିତ୍ ଶାହଙ୍କୁ ମୁଖ୍ଯମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ କଟୁ ସମାଲୋଚନା କରିଛନ୍ତି । ସେ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣଙ୍କ ପୁଅ କେତୋଟି କ୍ରିକେଟ୍ ମ୍ୟାଚ୍ ଖେଳିଛି ଓ କେତେ ରନ୍ କରିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ରାମେଶ୍ବରମ୍ରେ ରାଜ୍ୟ ‘ବିଜେପି’ ମୁଖ୍ୟ କେ. ଆନ୍ନାମଲାଇଙ୍କ ପଦଯାତ୍ରାର ଶୁଭାରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ତଥା ‘ବିଜେପି’ ନେତା ଅମିତ ଶାହ ବଂଶବାଦ ରାଜନୀତି ଉପରେ ଟିପ୍ପଣୀ ଦେଇଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଏବଂ ‘ଡିଏମ୍କେ’ ମେଣ୍ଟ ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଦୋଷାରୋପ କରିବା ସହିତ ‘ଡିଏମ୍କେ’ ଗୋଟାଏ ବଂଶବାଦୀ ପାର୍ଟି ବୋଲି ଶାହ କହିଥିଲେ।
ଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ ଉଦୟନିଧି ଷ୍ଟାଲିନ୍ ଶାହଙ୍କୁ ସମାଲୋଚନା କରି ପଚାରିଛନ୍ତି, କେଉଁ ଆଧାରରେ ତାଙ୍କ ପୁଅ ଜୟ ଶାହ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ର (ବିସିସିଆଇ) ସମ୍ପାଦକ ପଦ ପାଇଲେ? ସେ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ କରାଯାଇଛି।
ଅମିତ ଶାହ କହୁଛନ୍ତି ଯେ, ମୋତେ ମୁଖ୍ୟମନ୍ତ୍ରୀ କରାଇବା ଆମ ଦଳର ନେତାମାନେ ଆଗ୍ରହୀ। କିନ୍ତୁ, ମୁଁ ଅମିତ ଶାହଙ୍କୁ ପଚାରୁଛି, ତାଙ୍କ ପୁଅ କେମିତି ‘ବିସିସିଆଇ’ର ସମ୍ପାଦକ ହେଲେ? ସେ କେତୋଟି କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି ଓ କେତେ ରନ୍ ସଂଗ୍ରହ କରିଛନ୍ତି ପଚାରି ଉଦୟନିଧି ଉତ୍ତର ଦାବି କରିଛନ୍ତି।