କଲଭର୍ଟ ଭୁଶୁଡି ୫ ମୃତ୍ୟୁ ଘଟଣା, ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାର ନାମରେ ମାମଲା ଋଜୁ

ରାୟଗଡା (ସଂକେତ ଟିଭି) ରାୟଗଡ଼ା ଜିଲାରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାରେ ସରକାର ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ରମଣ ମୁଦୁଲି ଏବଂ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳଙ୍କୁ ନିଲମ୍ବିତ କରିଛନ୍ତି।

ଅନ୍ୟପକ୍ଷରେ କଲ୍ୟାଣସିଂହପୁର ଥାନାରେ ଠିକାଦାର ବୁଗଡା ଜ୍ୟୋତିଙ୍କ ନାମରେ ଏକ ମାମଲା ରୁଜୁ ହେବା ସହିତ ତାଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିବା ଜିଲାପାଳ ନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସ୍ବାଧ୍ୟାଦେବ ସିଂ କହିଛନ୍ତି।

ସୋମବାର ସକାଳେ ରାୟଗଡ଼ା ଜିଲା କଲ୍ୟାଣସିଂପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭାଙ୍ଗି ଯିବାରୁ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । କଲ୍ୟାଣସିଂହପୁର ବ୍ଲକର ତଳସାଜା ଏବଂ ଉପରସାଜା ମଧ୍ୟ ଦେଇ ଯାଇଥିବା ଏକ ନାଳରେ ୨ ମାସ ପୂର୍ବେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ନିର୍ମାଣାଧୀନ କଲଭର୍ଟରେ ଏକ ଛାତ ଭୁଶୁଡି ପଡିବାରୁ ନାଳରେ ଗାଧୋଉଥିବା ୪ ଶିଶୁଙ୍କ ସହିତ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଥିଲା।