ଏନଡିଏ ସରକାର ବିରୁଦ୍ଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ନୂଆଦିଲ୍ଲୀ (ସଂକେତ ଟିଭି) ଏନଡିଏ ସରକାର ବିରୁଦ୍ଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି ବିଜେଡି ଘୋଷଣା କରିଛି । ବିଜେଡି ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ବିଜେଡିର ଏହି ସମର୍ଥନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏବେ ସୁଦୃଢ଼ ସ୍ଥିତିକୁ ଆସିଛି ।

ଲୋକସଭା ବାଚସ୍ପତି ଓମ ବିରଲା ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ତାରିଖ ଧାର୍ଯ୍ଯ କରିଛନ୍ତି । ତିନି ଦିନ ଧରି ନୋକନଫିଡେନ୍ସ ମୋସନ ଉପରେ ଚର୍ଚ୍ଚା, ଆଲୋଚନା ହେବ । ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ଅନାସ୍ଥା ଭୋଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଅଭିଭାଷଣ ରଖିବାକୁ ହେବ । ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ । ୫ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ । ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ । କେବଳ ବିଜେପି ପାଖରେ ୩୦୧ ଆସନ ରହିଛି । ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ ରହିଛି ।