ଲୋକସଭାରେ ଆଗତ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌, ବିଜେଡିର ସମର୍ଥନ

ନୂଆଦିଲ୍ଲୀ (ସଂକେତ ଟିଭି) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ଆଜି ବହୁଚର୍ଚ୍ଚିତ ଦିଲ୍ଲୀ ପ୍ରଶାସନିକ ସେବା ଅଧ୍ୟାଦେଶ ବିଲ୍‌କୁ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ ଆଗତ ହେବା ପରେ ବିଜୁ ଜନତା ଦଳ ଏହାକୁ ସମର୍ଥନ ଘୋଷଣା କରିଛି । ରାଜ୍ୟସଭାରେ ବିଜେଡିର ନଅ ଜଣ ସାଂସଦ ଅଛନ୍ତି। ବିଜେଡିର ସମର୍ଥନ ପରେ ରାଜ୍ୟସଭାରେ ଏହି ବିଲ୍ ପାସ୍ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ପରିକି ଉଭୟ ବିଲ୍ ଓ ପ୍ରସ୍ତାବ ଆଲୋଚନାବେଳେ ସଂସଦରେ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ୩ ଧାଡ଼ିଆ ହୁଇପ୍ ମଧ୍ୟ ଜାରି ହୋଇଛି ।

ଲୋକସଭାରେ ବିଲ୍ ଗୃହୀତ ପାଇଁ ଏନଡିଏକୁ ବିଶେଷ ସମସ୍ୟା ନାହିଁ । ମାତ୍ର ରାଜ୍ୟସଭାରେ ଏନଡିଏ ପାଇଁ ସମସ୍ୟା ରହିଛି । କାରଣ ଏବେ ବିରୋଧୀ ଦଳଙ୍କ (ଇଣ୍ଡିଆ) ସାଂସଦମାନଙ୍କ ସମେତ ଭାରତ ରାଷ୍ଟ୍ର ସମିତି(ବିଆରଏସ)ର ସମସ୍ତ ୭ଜଣ ସଦସ୍ୟଙ୍କୁ ମିଶାଇଲେ ମୋଟ ୧୦୮ଜଣ ସାଂସଦ ରାଜ୍ୟସଭାରେ ଦିଲ୍ଲୀ ବିଲ ବିରୁଦ୍ଧରେ ଭୋଟ୍ ଦେବେ । ତେବେ ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଏବେ ଆବଶ୍ୟକ ସଂଖ୍ୟକ ସମର୍ଥନ ନାହିଁ ।  ତେବେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟିର ୯ଜଣ, ଜେଡିୟୁ, ବହୁଜନ ସମାଜ ପାର୍ଟି ଓ ତେଲଗୁ ଦେଶମ ପାର୍ଟିର ଜଣେ ଲେଖାଏଁ ସାଂସଦଙ୍କୁ ମିଶାଇଲେ ମୋଟ ୧୨ଜଣ ସାଂସଦ ଏବଂ ୫ଜଣ ମନୋନୀତ ଓ ୩ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଶିଲେ ମୋଟ ୨୦ଜଣ  ସମର୍ଥନ ମିଳିବ । ମନୋନୀତ ସଦସ୍ୟମାନେ ସର୍ବଦା କ୍ଷମତାସୀନ ଦଳ ସପକ୍ଷରେ ମତଦାନ କରିଥାନ୍ତି । ତଥାପି ମ୍ୟାଜିକ୍ ନମ୍ବର ପାଇଁ ଆହୁରି ୧୧ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିବାରୁ ବିଜେଡିର ସମର୍ଥନ ଘୋଷଣା ଏନଡିଏକୁ ଆଶ୍ୱସ୍ତ କରିଛି । ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଅଛନ୍ତି ।

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ଆଜି ଏହି ବିଲ ଆଗତ ହେବା ପରେ ବିରୋଧୀମାନେ ହୋହାଲ୍ଲା କରିଥିଲେ । ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟିର ସାଂସଦମାନେ ଗୃହରେ ନାରାବାଜୀ କରିବା ସହ ଏହା ଏକ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଲ୍‌ ବୋଲି କହିଥିଲେ । ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଛି ।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏହି ବିଲ୍ ସୁପ୍ରିମକୋର୍ଟଙ୍କ ଆଦେଶର ବିରୋଧୀ । ବିଲ ଆଗତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ପାଇଁ କୌଣସି ପ୍ରକାର ଆଇନ ପ୍ରଣୟନ କରିବା ପାଇଁ ସଂସଦ କ୍ଷମତାରୁ ସଙ୍କୁଚିତ କରାଯାଇ ପାରିବନାହିଁ । କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଜାରି କରିବା ପରେ ଆମ ଆଦମୀ ପାର୍ଟି ଏହାକୁ ସଂସଦରେ ପାରିତ ନକରାଇଦେବା ପାଇଁ ସମସ୍ତ ରାଜନୈତିକ ପ୍ରୟାସ କରିସାରିଛି । ଏହି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆଜି ଏହା ଲୋକସଭାରେ ଆଗତ ମଧ୍ୟ ହୋଇଛି ।

ଆଜି ଗୃହରେ ଆମ୍ ଆଦମୀ ପାର୍ଟିର ସଦସ୍ୟମାନେ କହିଛନ୍ତି, ‘‘ଦିଲ୍ଲୀ ସେବା ଅଧ୍ୟାଦଶକୁ ପରିବର୍ତ୍ତନ କରିବା ପାଇଁ ଆଜି ଗୃହରେ ଆଗତ କରାଯାଇଥିବା ସେବା ବିଲ୍‌ ଆଜି ପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠାରୁ ଅଗଣତାନ୍ତ୍ରିକ, ବେଆଇନ ଡକ୍ୟୁମେଣ୍ଟ । ତେବେ ଏହି ବିବାଦୀୟ ବିଲକୁ ଉଚ୍ଚସଦନରେ ପାରିତ ନକରାଇଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କ ସମର୍ଥନ ହାସଲ କରିସାରିଛନ୍ତି । ଭାରତୀୟ ଜନତା ପାର୍ଟି ଓ ଏନଡିଏର ସଂଖ୍ୟା ଆଧାରରେ ଏହା ନିମ୍ନ ସଦନ ଲୋକସଭାରେ ପାରିତ ହେବାରେ କୌଣସି ସମସ୍ୟା ନାହିଁ । ହେଲେ ଏହାକୁ ରାଜ୍ୟସଭାରେ ବିରୋଧୀଙ୍କ ସମର୍ଥନରେ ପାରିତ ନକରାଇଦେବା ପାଇଁ ଆମ ଆଦମୀ ପାର୍ଟି ସମସ୍ତ ପ୍ରୟାସ କରିଛି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇସାରିଛନ୍ତି ।