ମଣିପୁରରୁ ଫେରିବା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଟିମ୍

ନୂଆଦିଲ୍ଲୀ (ସଂକେତ ଟିଭି) ମଣିପୁରରେ ଲାଗି ରହିଥିବା ସାଂପ୍ରଦାୟିକ ହିଂସ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବିରୋଧୀ ମହାମେଣ୍ଟ ଇଣ୍ଡିଆର ପ୍ରତିନିଧି ଟିମ୍ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ରାଷ୍ଟ୍ରପତିଙ୍କୁ ଭେଟି ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି, ବିଶେଷକରି ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଶିବିରରେ ରହୁଥିବା ପୀଡିତଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଏହି ପ୍ରସଙ୍ଗରେ ସେମାନେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ କରି ଏହି ହିଂସା ପ୍ରଭାବିତ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବା ଉଚିତ୍ ।

ସେ କହିଛନ୍ତି ଯେ ଆମେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ । ମଣିପୁରରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ଜଣାଇଛୁ । ଆମର ମୁଖ୍ୟ ଦାବି ହେଲା, ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ସେଠାରେ ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରନ୍ତୁ । ରାଷ୍ଟ୍ରପତି ମଧ୍ୟ ବିରୋଧି ନେତାମାନଙ୍କ ଦାବିର ବିଚାର କରିବେ ବୋଲି ଆଶ୍ବସନା ଦେଇଥିବା ସେ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବିରୋଧି ମହାମେଣ୍ଟର ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ ଜୁଲାଇ ୨୯ ଓ ୩୦ରେ ଦୁଇ ଦିନିଆ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଥିଲେ । ଏହି ପ୍ରତିନିଧି ଟିମ୍ ସହ ମେଣ୍ଟ ସହଯୋଗୀ ଦଳର ଫ୍ଲୋର ଲିଡରମାନେ ମଧ୍ୟ ସାମିଲ ଥିଲେ । ଏହି ଟିମ୍ ଏକାଧିକ ରିଲିଫ କ୍ୟାମ୍ପ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ।