ପରସ୍ପରକୁ ପ୍ରଶଂସା ନବୀନ ପଟ୍ଟନାୟକ ଓ ଅମିତ ଶାହ
ଭୁବନେଶ୍ବର (ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପରସ୍ପରକୁ ପ୍ରଶଂସା କରିଛନ୍ତି । ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନୀ ଅବସରରେ ଏକାଠି ହୋଇଛନ୍ତି ଦେଶର ଦୁଇ ଦିଗଜ ନେତା । ଏହି ଅବସରରେ କାମାକ୍ଷାନଗର-ଡୁବୁରୀ ଜାତୀୟ ରାଜପଥର ୪ ଥାକିଆ ରାସ୍ତା ଉଦ୍ଘାଟିତ ହୋଇଛି । ଏହାବାଦ୍ ମୋଟେରରୁ ବାନେର ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ ହୋଇଛି ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ରେକର୍ଡ କରିଥିବାକୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ସାରା ଦେଶକୁ ବାଟ ଦେଖାଇଛନ୍ତି । କେନ୍ଦ୍ର-ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ମୁକାବିଲା ଆହୁରି ସୁଦୃଢ ହେବ । ‘ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଶୂନ ରହୁଛି’ । ମାଓବାଦୀ ନିୟନ୍ତ୍ରଣରେ ଓଡିଶା ସରକାର କେନ୍ଦ୍ରର ସହଯୋଗରେ ଭଲ କାମ କରିବା ସହ ନିୟନ୍ତ୍ରଣ କରିପାରିଛି ବୋଲି ସେ କହିଛନ୍ତି
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆମେ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ କରୁଛୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେଉଛୁ । ସବୁ ପାରାମିଟରରେ ଓଡିଶା ଅନେକ ଆଗକୁ ଯାଇଛି । ନୂଆ ଓଡିଶା ଗଠନ ଦିଗରେ ଆମେ ଆଗେଇ ଚାଲିଛୁ । ଯୋଗାଯୋଗ ଆମ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରେ । ଗୁରୁପ୍ରିୟା ସେତୁ, ପଶ୍ଚିମ ଓଡିଶାକୁ ଦକ୍ଷିଣ ଓଡିଶାକୁ ସଂଯୋଗ କରିବାକୁ ବିଜୁ ଏକ୍ସପ୍ରେସ ଯୋଗାଯୋଗ କ୍ଷେତ୍ରରେ ଅନେକ ଅବଦାନ ରହିଛି । ପୂର୍ତ୍ତ ବିଭାଗରେ ଆମ ସରକାରଙ୍କ ବଜେଟ ୯୮ ପ୍ରତିଶତ ବଢିଛି । ୨୦୦୦ ମସିହାରେ ୨୮୦ କୋଟି ବଜେଟ ଥିବା ବେଳେ ଏଥର ଏହା ୫୦ ହଜାର କୋଟିରେ ପହଞ୍ଚିଛି । ଏହି ବର୍ଷ ଆମେ ୬୫୦୦ କିଲୋମିଟର ରାସ୍ତାର ମରାମତି ଓ ୩୦୦ ନୂଆ ପୋଲ କରିବାକୁ ଲକ୍ଷ୍ୟ ରଖିଛୁ । କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ସାରିଛୁ । ମାଲକାନଗିରିରେ ଗ୍ରୀନ ଫିଲଡ଼ ବିମାନବନ୍ଦର କାମ ଚାଲିଛି ବୋଲି ନବୀନ କହିଛନ୍ତି ।