ବାଇକ୍‌ ରେସ ସମୟରେ ଦୁର୍ଘଟଣା: ୧୩ ବର୍ଷୀୟ ବାଇକ୍‌ ରେସରଙ୍କ ମୃତ୍ୟୁ

ବେଙ୍ଗାଲୁରୁ (ସଂକେତ ଟିଭି) ବାଇକ୍‌ ରେସିଂ ଚାମ୍ପିଆନସିପ୍ ସମୟରେ ଦୁର୍ଘଟଣା ଘଟି ୧୩ ବର୍ଷୀୟ ବାଇକ୍‌ ରେସର କୋପ୍ପାରାମ ଶ୍ରେୟସ ହରିଶଙ୍କ ମୃତ୍ୟୁ ହୋଇଛି। ଶନିବାର ଚେନ୍ନାଇର ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେରେ ଚାଲିଥିବା ନାସନାଲ ରେସିଂ ଚାମ୍ପିୟନସିପ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣା ପରେ ଇଭେଣ୍ଟର ପ୍ରମୋଟର ମାଡ୍ରାସ ମୋଟର ସ୍ପୋର୍ଟସ କ୍ଲବ ଶନିବାର ଏବଂ ରବିବାରରେ ଧାର୍ଯ୍ୟ ହୋଇଥିବା ରେସକୁ ବାତିଲ କରିଦେଇଛି।

ଶ୍ରେୟସ ଜଣେ ପ୍ରତିଭାବାନ ବାଇକ୍‌ ରେସର ଥିଲେ। ସେ ପ୍ରଥମ ଭାରତୀୟ ଯିଏକି ମେ ମାସରେ ସ୍ପେନ୍‌ରେ ହୋଇଥିବା ଓ୍ବାର୍ଲ୍ଡ ଚାମ୍ପିୟନସିପ୍‌ରେ ପ୍ରବେଶ କରିଥିଲେ। ସେ ‘ଦ ବେଙ୍ଗାଲୁରୁ କିଡ୍‌’ ଭାବରେ ଜଣା।

ଶନିବାର ରେସିଂର ତୃତୀୟ ରାଉଣ୍ଡ୍‌ ସମୟରେ ସେ ଟ୍ରାକ୍‌ରେ ପଡ଼ିଯାଇଥିଲେ ଆଉ ଏହି ସମୟରେ ତାଙ୍କ ମୁଣ୍ଡରୁ ହେଲମେଟ୍‌ ମଧ୍ୟ ଖସିପଡ଼ିଥିଲା। ତେବେ ତାଙ୍କ ପଛରେ ଆସୁଥିବା ଆଉଜଣେ ରେସର୍‌ ତାଙ୍କ ଉପରେ ଚଢ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡକୁ ଗୁରୁତର ଆଘାତ ହୋଇଥିଲା। ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା।କିନ୍ତୁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇାସାରିଥିଲା।

ବାଙ୍ଗାଲୋରର କେନ୍ସାରି ସ୍କୁଲର ଛାତ୍ର ଶ୍ରେୟସ ୨୬ ଜୁଲାଇ ୨୦୧୦ରେ ଜନ୍ମଗ୍ରହଣ କରିଥିଲେ। ଶ୍ରେୟାସଙ୍କୁ ଉଦୀୟମାନ ତାରକା ଭାବରେ ପ୍ରଶଂସା କରାଯାଉଥିଲା। ତାଙ୍କୁ ଏକ ଉଦୀୟମାନ ରେସର୍‌ ଭାବରେ ବିବେଚନା କରାଯାଉଥିଲା।

ଶ୍ରେୟାସ୍‌ FIM Mini-GP ସହ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ନାସନାଲ୍‌ ଚାମ୍ପିୟନସିପ୍‌ ୨୦୨୨ ଜିତିଥିଲେ। ଏହାପରେ ଅନ୍ୟ ନାସନାଲ ଚାମ୍ପିୟନସିପ୍‌ରେ ଭାଗ ନେଇଥିଲେ। ଟିଭିଏଏସ ତାଙ୍କୁ ରୁକି କପ୍‌ ପାଇଁ ବାଛିଥିଲା ଏବଂ ତାଙ୍କୁ ପ୍ରଶିକ୍ଷଣ ଦେବା ସହ ଏକ ଟିଭିଏସ ବାଇକ୍‌ ରେସିଂ ପାଇଁ ଦେଇଥିଲେ। ସେ ରୁକି ବର୍ଗରେ ପ୍ରଥମ ଚାରି ରେସ୍‌ରେ ବିଜୟୀ ହୋଇଥିଲେ। ଏହା ପରେ ପ୍ରୋ-ଷ୍ଟକ୍‌ ୧୬୫ ସିସି ଓପନ୍‌ରେ ଭାଗ ନେଇଥିଲେ।