୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ, ଖର୍ଚ୍ଚ ହେବ ୨୫ ହଜାର କୋଟି

ନୂଆଦିଲ୍ଲୀ (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲରେ ସାରା ଦେଶରେ ୫୦୮ଟି ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିଛନ୍ତି । ତାହା ମଧ୍ୟରେ ଓଡ଼ିଶାର ୨୫ଟି ଷ୍ଟେସନ ରହିଛି । ଏହି ତାଲିକାରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି । ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡିଶା ପାଇଁ କେନ୍ଦ୍ର ସରକାର ୫୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ।

ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ, ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଦେଶର ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦୮ଟି ଷ୍ଟେସନର ପୁନର୍ବିକାଶ କରାଯିବ । ଏଥିମଧ୍ୟରୁ ଓଡି଼ଶାର ୨୫ଟି ଷ୍ଟେସନ ଥିବାବେଳେ ଉତ୍ତର ପ୍ରଦେଶ ଓ ରାଜସ୍ଥାନର ୫୫ଟି, ବିହାରର ୪୯ଟି, ମହାରାଷ୍ଟ୍ରର ୪୪, ପଶ୍ଚିମବଙ୍ଗର ୩୭, ମଧ୍ୟପ୍ରଦେଶର ୩୪, ଆସାମର ୩୨, ପଞ୍ଜାବର ୨୨, ଗୁଜୁରାଟ ଓ ତେଲେଙ୍ଗାନାର ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ର ଓ ତାମିଲନାଡୁରେ ୧୮, ହରିୟାଣାରେ ୧୫ ଏବଂ କର୍ଣ୍ଣାଟକର ୧୩ଟି ଷ୍ଟେସନ ଅନ୍ତର୍ଭୁକ୍ତ । ଏଥିରେ ଯାତ୍ରୀମାନଙ୍କ ସୁବିଧା ଲାଗି ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର, ମଲ୍ଟି ଲେବଲ ପାର୍କିଂ, ଲିଫ୍ଟ, ଏସ୍କାଲେଟର, ଟ୍ରାଭେଲେଟର, ଏକଜିକ୍ୟୁଟିଭ ଲାଉଞ୍ଜ, ୱେଟିଂ ଏରିଆ, ଦିବ୍ୟାଙ୍ଗଙ୍କ ଅନୁକୂଳ ସୁବିଧା ରହିବ । ଏଥିପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ୨ ବର୍ଷ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାସହିତ ଷ୍ଟେସନ ଗୁଡିକରେ ପୌରାଣିକ ଓ ସାଂସ୍କୃତିକ ଛାପ ଦିଆଯିବ । ଓଡ଼ିଶାର ପୁନର୍ବିକାଶ ହେବାକୁ ଥିବା ଷ୍ଟେସନ ଗୁଡିକ ହେଲା: ଅନୁଗୋଳ, ବଲାଙ୍ଗୀର, ବାଲୁଗାଁ, ବାରିପଦା, ବରପାଲି, ବଡବିଲ, ଛତ୍ରପୁର, ଦାମନଜୋଡି, ବରଗଡ ରୋଡ, ଖରିଆର ରୋଡ, ହରିଶଙ୍କର ରୋଡ, ହୀରାକୁଦ, ଜଳେଶ୍ବର, କଣ୍ଟାବାଞ୍ଜି, ଢେଙ୍କାନାଳ, ଖୋର୍ଦ୍ଧା ରୋଡ ଜଙ୍କସନ, ଲିଙ୍ରାଜ ଟେମ୍ପଲ ରୋଡ, ମଞ୍ଚେଶ୍ବର, ମେରାମଣ୍ଡଳି, ମୁନିଗୁଡା, ତାଳଚେର ରୋଡ, ସାକ୍ଷୀଗୋପାଳ, ରାଜଗାଙ୍ଗପୁର, ରେଢାଖୋଲ ।