ଲୋକସଭା ସଦସ୍ୟତା ଫେରି ପାଇପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି) କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପରେ ସାଂସଦ ପଦ ଫେରି ପାଇଛନ୍ତି । ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିବାର ୩ ଦିନ ପରେ ସେ ଲୋକସଭା ସଦସ୍ୟତା ଫେରି ପାଇଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି, ‘‘ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇବା ନିଷ୍ପତ୍ତି ବାଚସ୍ପତି ନେଇଛନ୍ତି । ଆଇନଗତ ପ୍ରକ୍ରିୟାକୁ ଆମେ ଅନୁସରଣ କରିଛୁ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତୁରନ୍ତ ସାଂସଦ ପଦ ରାହୁଲଙ୍କୁ ଫେରାଇ ଦିଆଯାଇଛି ।

ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇବା ପରେ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏବଂ ଦଳର କର୍ମୀ ମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ।

ନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ଡ୍ୟାନ୍ସ କରି ଖୁସି ମନାଉଥିବା ଦେଖିବାକୁ ମିଳିଛି । ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିକୁ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦ ଫେରାଇଦେବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହି ନିଷ୍ପତ୍ତି ଭାରତବାସୀଙ୍କୁ ତଥା ୱାଇନାଡବାସୀଙ୍କୁ ଆଶ୍ବସ୍ତି ଦେଇଛି । ବର୍ତ୍ତମାନ ଯେତିକି ସମୟ ବାକି ରହିଛି ସେହି ସମୟରେ ବିଜେପି ଓ ମୋଦି ସରକାର ଏହାର ଉପଯୁକ୍ତ ବ୍ୟବହାର କରିବା ଉଚିତ୍‌ । ବିପକ୍ଷ ଦଳର ନେତାଙ୍କୁ ଟାର୍ଗେଟ କରି ଗଣତନ୍ତ୍ରକୁ ଅପମାନିତ କରିବା ପରିବର୍ତ୍ତେ ପ୍ରକୃତ ଶାସନ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଗତ ୪ବର୍ଷ ତଳେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ଦାୟର କରିବା ପରେ କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ଏହାପରେ ସୁରଟ ଜିଲ୍ଲା କୋର୍ଟ ଏହି ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିଲେ । ରାହୁଲଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ଦଣ୍ଡାଦେଶ ଯୋଗୁଁ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା । ତଳ କୋର୍ଟ ରାୟ ବିରୋଧରେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ମାତ୍ର ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । ପରେ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା । ଏହାପରେ ଅଗଷ୍ଟ ୪ ତାରିଖରେ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡ ଉପରେ ରୋକ୍ ଲଗାଇଥିଲେ ।