ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବହି
ଭୁବନେଶ୍ବର (ସଂକେତ ଟିଭି) ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ଘରୋଇ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମଧ୍ଯ ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।
ସୂଚନା ଅନୁସାରେ , ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।