ସାପ ଧରାଳିଙ୍କ ପାଇଁ ଜାରି ହେଲା ଗାଇଡଲାଇନ
ଭୁବନେଶ୍ବର (ସଂକେତ ଟିଭି) ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସାପ ଧରିବା ଏବଂ ଛାଡିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଏଣିକି କେବଳ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ମାନେ ହିଁ ସାପ ଧରିବେ । ଯିଏ ଏହାକୁ ନ ମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେ ଯେଉଁଠାରେ ସାପର ଭୟ ଥିବ ସେଠାରେ ଲୋକମାନେ ସାପ ଧରାଳୀଙ୍କୁ ତୁରନ୍ତ ଫୋନ କରିପାରିବେ । ଏହାସହ ସାପର ଗୋଟିଏ ଫଟୋ ଉଠାଇ ପଠାଇବେ । ସାପ ଧରାଳୀ କେତେ ସମୟ ଭିତରେ ତାଙ୍କ ନିକଟରେ ପହଞ୍ଚିବେ ତାହା ନିଶ୍ଚିତ କରିବେ । ସେହିପରି ଯଦି କେଉଁଠି ଲୋକଙ୍କୁ ସାପ କାମୁଡ଼ି ଥିବ ତେବେ ସାପ ଧରାଳୀ ଆଶୁ ଚିକିତ୍ସା ଯୋଗାଇବା ସହ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିବେ । ଉଦ୍ଧାର ସାପକୁ ତୁରନ୍ତ ଜଙ୍ଗଲରେ ଛାଡ଼ିବେ । ଯଦି କୌଣସି କାରଣରୁ ସାପ ଆହତ ହୋଇଥିବାର ନଜରକୁ ଆସେ ତେବେ ତା’ର ଚିକିତ୍ସା କରି ଛାଡ଼ିବେ ସାପ ଧରାଳି । କିନ୍ତୁ ସାପ ଧରିବା ବେଳେ ସାପର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଯଦି ଏକାଧିକ ସାପ ଉଦ୍ଧାର କରାଯାଇଥାଏ ତେବେ ସେମାନଙ୍କୁ ଗୋଟିଏ ସ୍ଥାନରେ ଛାଡ଼ିବେ ନାହିଁ । ସାପ ଧରାଳିଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।
ବନ ବିଭାଗ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟାର ମାସିକ ରିପୋର୍ଟ ପ୍ରସ୍ତୁତ କରିବେ । ସାପଧରାଳିଙ୍କୁ ପିଭିସି ପାଇପ, ବ୍ୟାଗ, ଫାଷ୍ଟ ଏଡ କିଟ୍, ଟର୍ଚ୍ଚ, ସାପ କାମୁଡା ବ୍ୟାଣ୍ଡେଡ୍, ସାପ ଧରା ହୁକ, ଫ୍ରେମ ଲାଗିଥିବା କପଡା ବ୍ୟାଗ୍ ଆଦି ସାମଗ୍ରୀ ଯୋଗାଇ ଦିଆଯିବ ।