ସଂସଦରେ ୨ ଘଣ୍ଟା ଧରି ମଣିପୁରର ମଜା ଉଡ଼େଇଲେ ପ୍ରଧାନମନ୍ତ୍ରୀ : ରାହୁଲ୍ ଗାନ୍ଧି

ନୂଆଦିଲ୍ଲୀ (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଧରି ମଣିପୁରର ମଜା ଉଡ଼େଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାନା କରି ଏକଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟର ଭାଷଣ ଦେଇଥିଲେ । ଏଥିରେ କେବଳ ସେ ଦୁଇ ମିନିଟ୍ ପାଇଁ ମଣିପୁର ଉପରେ କହିଥିଲେ ।

ରାହୁଲ କହିଛନ୍ତି, ମୋଦୀଜୀ ଗୃହରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଇଥିଲେ, କିନ୍ତୁ ଶେଷବେଳକୁ ସେ ମଣିପୁର ବିଷୟରେ ମାତ୍ର ଦୁଇ ମିନିଟ୍ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗତକାଲି ଗୃହରେ ମଜା ଉଡ଼ାଇ ହସୁଥିଲେ। ଏହା ତାଙ୍କୁ ଶୋଭା ଦେଉନଥିଲା । ପ୍ରସଙ୍ଗ ମୁଁ କିମ୍ବା କଂଗ୍ରେସ ନଥିଲା, ପ୍ରସଙ୍ଗ ଥିଲା ମଣିପୁର ।

ରାହୁଲ କହିଛନ୍ତି, ପ୍ରାୟ ୧୯ ବର୍ଷ ଧରି ରାଜନୀତିରେ ଅଛି, ସବୁ ରାଜ୍ୟକୁ, ସେ ବନ୍ୟା ହେଉ, ସୁନମୀ ଆସୁ, କିମ୍ୱା ହିଂସା ହେଉ, ଆମେ ସେଠାରୁ ଯାଉଛୁ । ୧୯ ବର୍ଷର ଅନୁଭବରେ ମୁଁ ମଣିପୁରରେ ଯାହା ଦେଖିଲି, ତାହା ମୁଁ ପୂର୍ବରୁ କେବେ ଦେଖି ନଥିଲି । ମୁଁ ସଂସଦରେ କହିଥିଲି ଯେ ଅମିତ୍ ଶାହ ଏବଂ ନରେନ୍ଦ୍ର ମୋଦୀ ମଣିପୁରରେ ଭାରତର ହତ୍ୟା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମଣିପୁର ଯାଇପାରିବେ ନାହିଁ, ସେ ଏ ପ୍ରସଙ୍ଗରେ ମୁହଁ ତ ଖୋଲନ୍ତୁ । ଭାରତୀୟ ସେନା ଏହି ଡ୍ରାମାକୁ ୨ ଦିନରେ ବନ୍ଦ କରିପାରିବ କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁରକୁ ନିଆଁ ଲିଭାଇବାକୁ ଚାହୁଁନାହାନ୍ତି । କିଛି ନହେଲେ ପ୍ରଧାନମନ୍ତ୍ରୀ ମଣିପୁର ଯାଇ ପାରିଥାନ୍ତେ, ସେଠାକାର ସମୁଦାୟଙ୍କ ସହ କଥା ହୋଇପାରିଥାନ୍ତେ । ସେମାନଙ୍କୁ କହିପାରିଥାନ୍ତେ ଯେ ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀ, ଆସନ୍ତୁ ଆଲୋଚନା କରିବା କିନ୍ତୁ ମୋତେ ତାଙ୍କର ଏଭଳି କୌଣସି ଉଦ୍ଦେଶ୍ୟ ଥିବା ଭଳି ଲାଗୁ ନାହିଁ ।