ଏନସିପି ନେତା ନବାବ ମଲ୍ଲିକଙ୍କୁ ମିଳିଲା ଜାମିନ, ୧୭ ମାସ ପରେ ବାହାରିଲେ ଜେଲରୁ

ନୂଆଦିଲ୍ଲୀ (ସଂକେତ ଟିଭି) ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ଦୁଇ ମାସ ପାଇଁ ଜାମିନ୍‌ ପ୍ରଦାନ କରିଛନ୍ତି। ଅର୍ଥ ହେରଫେର ମାମଲାରେ ମଲିକ ଫେବୃଆରୀ ୨୨ରୁ କାରାଗାରରେ ଥିଲେ। ଏଭଳି ପରିସ୍ଥିତିରେ ସେ ୧୭ମାସ ପରେ ଜାମିନ ପାଇଛନ୍ତି। ତେବେ ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନଓ୍ବାବ ମଲିକଙ୍କ ଜାମିନ ପ୍ରଦାନକୁ ବିରୋଧ କରିନାହାଁନ୍ତି।

ମଲ୍ଲିକ ଇଡି ଦ୍ୱାରା ଯାଞ୍ଚ କରାଯାଉଥିବା ମାମଲାରେ ଚିକିତ୍ସା ଆଧାରରେ ଜାମିନ ଦେବାକୁ ମନା କରିବା ପରେ ବମ୍ବେ ହାଇକୋର୍ଟଙ୍କ ୧୩ ଜୁଲାଇ ଆଦେଶକୁ ଶୀର୍ଷ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅନିରୁଦ୍ଧ ବୋଶ ଓ ଜଷ୍ଟିସ୍ ବେଲା ଏମ.ତ୍ରିବେଦୀଙ୍କ ପୀଠ କହିଛନ୍ତି ଯେ ମଲ୍ଲିକ କିଡନୀ ଓ ଅନ୍ୟ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଣୁ ଆମେ ମେଡିକାଲ ସର୍ତ୍ତରେ କଡାକଡି ଆଦେଶ ଗୃହୀତ କରୁଛୁ।

ଉଲ୍ଲେଖଯୋଗ୍ୟ ଯେ ଇଡି କଥିତ ରୂପେ ଫେରାର ଡନ ଦାଉଦ୍ ଇବ୍ରାହୀମ ଓ ତାର ସହଯୋଗୀଙ୍କ ଗତିବିଦ୍ଧିକୁ ନେଇ ମଲ୍ଲିକଙ୍କୁ ଫେବୃଆରୀ ୨୦୨୨ରେ ଗିରଫ କରିଥିଲା। ଏନସିପି ନେତା ଏବେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ତାଙ୍କର ଚିକିତ୍ସା ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହେଉଛି। ଏଥିଯୋଗୁ ମଲ୍ଲିକ ହାଇକୋର୍ଟଙ୍କୁ ଗୁହାରୀ କରି ସେ ବିଭିନ୍ନ ରୋଗ ବ୍ୟତୀତ କ୍ରନିକ କିଡନୀ ରୋଗରେ ପୀଡତ ଥିବା କହିଥିଲେ। ଏଣୁ ଯୋଗ୍ୟତା ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରିବାକୁ ନିବେଦନ କରିଥିଲେ।

ସେତେବେଳେ ବମ୍ବେ ହାଇକୋର୍ଟ ତାଙ୍କ ପିଟିସନ ଉପରେ ଶୁଣାଣି କରି ଦୁଇ ସପ୍ତାହ ପରେ ଯୋଗ୍ୟତା ଆଧାରରେ ତାଙ୍କ ଜାମିନ ଉପରେ ଶୁଣାଣି କରିବେ ବୋଲି କହିଥିଲେ। ମଲ୍ଲିକଙ୍କ ବିରୋଧରେ ଇଡିଙ୍କ ମାମଲା ଜାତୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ)ଙ୍କ ଦ୍ୱାରା ନାମିତ ବୈଶ୍ୱିକ ଆତଙ୍କବାଦୀ ଓ ୧୯୯୩ର ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହୀମ ଓ ତା ସହଯୋଗୀଙ୍କ ବିରୋଧରେ ବେଆଇନ ଗତିବିଦ୍ଧି( ନିୟନ୍ତ୍ରଣ) ଆଇନରେ ରୁଜୁ ଏତଲା ଆଧାରରେ ରୁଜୁ ହୋଇଛି।