ଓଡ଼ିଶାରେ ଏକାକୀ ଲଢିବ ବିଜେପି, ହେବ ନାହିଁ ମେଣ୍ଟ : କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବ

ଭୁବନେଶ୍ବର (ସଂକେତ ଟିଭି) ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ଲଢିବ । କୌଣସି ମେଣ୍ଟ ହେବନି । ବିଜେପି ଏକାକୀ ଲଢି ସରକାର ଗଠନ କରିବ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହା କହିଛନ୍ତି ।

ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଓଡିଶାରେ କୌଣସି ଦଳ ସହ ବିଜେପି ମେଂଟ କରିବ ନାହିଁ ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ସମୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଉଭୟ ନେତା ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ । ଓଡ଼ିଶାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ନବୀନ ଏବଂ ଶାହ କହିଥିଲେ । ଅମିତ ଶାହଙ୍କ ଗସ୍ତ ପରେ ବିଜେଡି -ବିଜେପି ମେଣ୍ଟ ନେଇ ଆଲୋଚନା ହେଉଛି, ଆଗାମି ନିର୍ବାଚନରେ ବିଜେଡି-ବିଜେପି ପୁଣି ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସେପଟେ ସଂସଦରେ ଦିଲ୍ଲୀ ବିଲକୁ ସମର୍ଥନ ଓ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ପରେ ମେଣ୍ଟ ଚର୍ଚ୍ଚା ଅଧିକ ହୋଇଛି । କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବ ।