ଦାଦା-ପୁତୁରାଙ୍କ ଗୁପ୍ତ ବୈଠକ, କଡା ସମାଲୋଚନା କଲା ଏମଏନଏସ ଓ ଶିବସେନା

ମୁମ୍ବାଇ (ସଂକେତ ଟିଭି) ମହାରାଷ୍ଟ୍ରରେ ଏନସିପିର ଗୋଟିଏ ଟିମ୍‌ କୁ ପୂର୍ବରୁ ବିଜେପିକୁ ପଠାଯାଇଛି ଏବଂ ଅନ୍ୟ ଏକ ଟିମ୍‌‌ ଖୁବ୍‌ଶୀଘ୍ର ଯିବ। ସେମାନଙ୍କ ଭିତରେ ସବୁ ଠିକ୍‌ ଅଛି। ଏସବୁ ୨୦୧୪ରୁ ଚାଲି ଆସୁଛି। ଏମଏନଏସ ସଭାପତି ରାଜ ଠାକରେ ଏହା କହିଛନ୍ତି । ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୁପ୍ତ ବୈଠକ ପରେ ସେ ଏହା କହିଛନ୍ତି ।

ସେପଟେ ଅଜିତ ପାୱାରଙ୍କୁ ଭେଟିବା ପରେ ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦଳ ବିଜେପି ସହ ଯିବ ନାହିଁ ଯଦିଓ କିଛି ଲୋକ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି।

ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖପାତ୍ର ‘ସାମାନା’ ଏକ ସମ୍ପାଦକୀୟରେ କହିଛି ଯେ ଅଜିତଙ୍କୁ ବିଜେପି ଶରଦ ପାୱାରଙ୍କୁ ଭେଟିବାକୁ ପଠାଇ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଯଦିଓ ଏହିପରି ବୈଠକ ଶରଦ ପାୱାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ଏବଂ ଏହା ଭଲ ନୁହେଁ ।

ରାଜ୍ୟସଭା ସାଂସଦ ତଥା ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତ ଶରଦ ପାୱାରଙ୍କ ମନ୍ତବ୍ୟ ଉପରେ କହିଛନ୍ତି ଯେ ଶରତ ପାଓ୍ବାର ତାଙ୍କ ପୁତୁରାଙ୍କୁ ଭେଟିବାରେ କିଛି ଭୁଲ୍ ନାହିଁ। ତେବେ ତାଙ୍କ ସମର୍ଥକମାନେ କାହିଁକି ରାସ୍ତାରେ ମାଡପିଟ ହେଉଛନ୍ତି ? ସଞ୍ଜୟ କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ମହାରାଷ୍ଟ୍ର ରାଜନୀତିର “ଭୀଷ୍ମ ପିତାମହ” । ସେ ଏପରି କିଛି କରିବା ଉଚିତ ନୁହେଁ ଯାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିବ।

ସୂଚନାନୁସାରେ, ଶନିବାର ପୁଣେରେ ଜଣେ ବ୍ୟବସାୟୀଙ୍କ ବାସଭବନରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ଭେଟିଥିଲେ। ଏହାପୂର୍ବରୁ ଗତ ମାସରେ ମହାରାଷ୍ଟ୍ରରେ ଅଜିତ ପାୱାର ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେ ଶିବସେନା-ଭାଜପା ସରକାରରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଅଜିତ ପାୱାରଙ୍କ ସହ ତାଙ୍କୁ ସମର୍ଥନ କରୁଥିବା ଆଠ ଜଣ ଏନସିପି ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।