ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜରେ ଛାତ୍ର ଅଶାନ୍ତି
ଭୁବନେଶ୍ବର (ସଂକେତ ଟିଭି) ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ଭୁବନେଶ୍ବର ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ପରସ୍ପର ମଧ୍ୟରେ ମୁହାମୁହିଁ ହୋଇଛନ୍ତି । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି ।
ଯାହାକୁ ନେଇ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।
ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି । ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ୍ ଭିତରେ ରହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ରହିଛି ।
ଅନ୍ୟପଟେ କଲେଜ ଅଧକ୍ଷ କହିଛନ୍ତି କି, କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାଁନ୍ତି। ତେଣୁ ଫାଟକ ବନ୍ଦ ରହିଛି। ମାତ୍ର ସେପଟେ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ସବୁଦିନ କଲେଜ ଗେଟ୍ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି । ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି । କିନ୍ତୁ ଭାରତ ମାତାଙ୍କ ପାଇଁ ସେଲିବ୍ରେସନ ପାଇଁ ଗେଟ୍ ବନ୍ଦ ରହୁଛି ବୋଲି ଅଭିଯୋଗ ଆଣିଛନ୍ତି ।
ସେପଟେ ଅନ୍ୟ ଗୋଷ୍ଠୀର ଛାତ୍ରଙ୍କ କହିବା ମୁତାବକ ଆମେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ କଲେଜ ପ୍ରନ୍ସିପାଲଙ୍କ ପାଖରୁ ଅନୁମତି ନେଇଥିଲୁ । ପ୍ରିନ୍ସିପାଲ ମଧ୍ୟ ଅନୁମତି ଦେଇଥିଲେ। ଗତକାଲି ରାତିରେ ପିଲାମାନେ ଭାରତମାତାର ପୋଷ୍ଟର ମାରିଲାବେଳେ ବିଜୁ ଛାତ୍ର ଜନତା ଦଳର କିଛି ପିଲା ଆସି ଆମ ପିଲାମାନଙ୍କୁ ମାଡ଼ ମାରିଥିଲେ ଓ ପୋଷ୍ଟର ଚିରି ଦେଇଥିଲେ। ଆଜି ଆମକୁ ତ୍ରିରଙ୍ଗା ଯାତ୍ରା କରାଇ ଦେଲାନି। ବିଜୁ ଜନତା ଦଳ ଓଡ଼ିଶାରେ ତାଲିବାନ ଶାସନ ଚଳାଇଛି।