ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ
ରାଉରକେଲା (ସଂକେତ ଟିଭି) ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଆଜି ସକାଳେ ଏକ ଘରୋଇ ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ତିନି ଜଣ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ରାଜଗାଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୁରକ୍ଷାକର୍ମୀଙ୍କ ଅସାବଧାନତା ଯୋଗୁଁ ଗୁଳି ଫୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଅନୁସାରେ, ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଆଇସିଆଇସିଆଇ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର ହୋଇଛନ୍ତି । ସିଏମଏସ ଗାଡ଼ିରେ ଏଟିଏମ ଟଙ୍କା ଭର୍ତ୍ତି କରାଯାଉଥିବାବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ । ହଠାତ୍ ଅସାବଧାନତା କାରଣରୁ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା । ସେମାନେ ହେଲେ ଦିଲୱାରଗଞ୍ଜର ବାସିନ୍ଦା ମହମ୍ମଦ ଇଲିଆସ (୪୦), ଜାମ୍ପପାଲିର ବାସିନ୍ଦା ସୀତା ଲାକ୍ରା (୩୩), ଶାନ୍ତି ନଗରର ଅନୁରାସ ତନ୍ତୀ (୨୫)। ତୁରନ୍ତ ସେମାନଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ସୁରକ୍ଷାକର୍ମୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି ।