ସେପ୍ଟେମ୍ବରରେ ଲଞ୍ଚ ହେବ ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ-୧’

ନୂଆଦିଲ୍ଲୀ (ସଂକେତ ଟିଭି) ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ବର୍ତ୍ତମାନ ସୂର୍ଯ୍ୟଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଇସ୍ରୋ ଏକ ବଡ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ମିଶନ ଆସନ୍ତାମାସ ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ଏହି ମିସନର ନାମ ରଖାଯାଇଛି ‘ଆଦିତ୍ୟ ଏଲ-୧’। ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି ଇସ୍ରୋ ମୁଖ୍ୟ ଏସ.ସୋମନାଥ ସୂଚନା ଦେଇଛନ୍ତି ।

ଇସ୍ରୋ ମୁଖ୍ୟ ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ-୧ ର ମିଶନର ପ୍ରକ୍ରିୟା ସବୁକିଛି ଯୋଜନା ଅନୁଯାୟୀ ଚାଲିଛି । ଏହି ଉତକ୍ଷେପଣ ହେବା ପରେ ଏକ ଆଲେପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର ଏଲ-୧ ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ ୧୨୦ ଦିନ ଲାଗିବା ନେଇ ଏସ ସୋମନାଥ କହିଛନ୍ତି । ଏହା ଏଲ-୧ ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ଦେବ ।

ଅନ୍ୟପଟେ ଗଗନଯାନର କାର୍ଯ୍ୟ ଜାରି ରହିଛି । ଆମେ କ୍ରୁ ମଡ୍ୟୁଲ୍ ଏବଂ କ୍ରୁ ଏସକେପ କ୍ଷମତା ପ୍ରଦର୍ଶନ କରିବାକୁ ସମର୍ଥ ହେବୁ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ । ୨୦୨୫ ସୁଦ୍ଧା ପ୍ରଥମ ମାନବ ମହାକାଶ ଯାନ ପ୍ରେରଣ ଯୋଜନା ରହିଛି ବୋଲି ଏସ ସୋମନାଥ କହିଛନ୍ତି ।