ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ପୁଲିସ ଏସଆଇ

ବଲାଙ୍ଗୀର (ସଂକେତ ଟିଭି) ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ । ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମହିଳା ବିଭାଗରେ ଭର୍ତ୍ତି କରିଥିବା ଜଣାପଡିଛି। ସେ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ ବୋଲି ଖବର ମିଳିଛି।

ସୂଚନା ଅନୁସାରେ, ସଇଁତଲା ଥାନାରେ ଟ୍ରେନି ଏସଆଇ ଭାବରେ କାର୍ଯ୍ୟ କରୁଥିବା ମହିଳା ପୁଲିସ ଜଣକ ନିଜ କାମ ସାରିବା ନିଜ କ୍ୱାଟରରେ ରହିଥିଲେ। ବୁଧବାର ରାତିରେ କାଜଲ ନିଜ ଭଡା ଘରେ ଥିବା ବେଳେ ବିଷ ପିଇ ଥିବାର ଜାଣିବାକୁ ପାଇଥିଲେ ପଡ଼ୋଶୀ । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେ ଡାକ୍ତରଖାନାରୁ ଚିକିତ୍ସିତ ଥିବା ସମୟରେ ସେ କୁଆଡେ ଚାଲିଯାଇଥିବା ଜଣାପଡିଛି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଲାଙ୍ଗୀରର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ ଘଟଣାରେ ମଧ୍ୟ ତଦନ୍ତ ଜାରି ରଖିଥିଲା ପୋଲିସ୍ ଟିମର ଜଣେ ସଦସ୍ୟ ଥିଲେ କାଜଲ । ହେଲେ ସେ କୌଣସି କାରଣରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡ଼ିଛି । ସେପଟେ ତାଙ୍କ ସହ ଆଉ ଜଣେ ପୋଲିସ୍ ଅଧିକାରୀଙ୍କ ପ୍ରେମ ସମ୍ପର୍କ ଥିବାବେଳେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥା କଟା କଟି ହୋଇଥିବା କୁହାଯାଉଛି । ଯାହାକୁ ନେଇ ସେ ଏହି ପଦକ୍ଷେପ ନେଇଥିବାର ଚର୍ଚ୍ଚା ହେଉଛି । ସେପଟେ ଏଯାଏଁ ବଲାଙ୍ଗୀର ପୋଲିସ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପରିକି ସଂପୃକ୍ତ ମହିଳା ପୋଲିସ୍ ଅଧିକାରୀଙ୍କ ପରିବାର ପକ୍ଷରୁ ଏଯାଏଁ କୌଣସି ଅଭିଯୋଗ ହୋଇନଥିବାବେଳେ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।