ବିକ୍ରମ ଲ୍ୟାଣ୍ଡରରୁ ପ୍ରଜ୍ଞା ରୋଭର ବାହାରିବା ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ (ସଂକେତ ଟିଭି) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରୁ ‘ପ୍ରଜ୍ଞା’ ରୋଭରର ବାହାରୁଥିବା ଭିଡିଓ ଶୁକ୍ରବାର ଦିନ ଜାରି କରିଛି । ଇସ୍ରୋ ଏହି ଭିଡିଓକୁ ଏକ୍ସ (ଟ୍ୱିଟର)ରେ ସେୟାର କରିଛି ।

ଚନ୍ଦ୍ରଯାନ-୩ ବୁଧବାର (ଅଗଷ୍ଟ ୨୩) ସନ୍ଧ୍ୟା ୬ ଘଣ୍ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା । ବିକ୍ରମ୍ ଲ୍ୟାଣ୍ଡରରୁ ପ୍ରଜ୍ଞା ନାମକ ଏହି ରୋଭର ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ବୁଲି ପୃଥିବୀର ଏହି ଏକମାତ୍ର ପ୍ରାକୃତିକ ଉପଗ୍ରହ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ । ‘ପ୍ରଜ୍ଞା’ ମଧ୍ୟ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବ | ଏହାଛଡ଼ା ଏଥିରେ ଥିବା ଚାରି ପେଲୋଡ୍ ଚନ୍ଦ୍ରର ମ୍ୟାପିଂ ବ୍ୟତୀତ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷଣ କରିବେ । ‘ପ୍ରଜ୍ଞା’ ରୋଭରର ଓଜନ ପ୍ରାୟ ୨୬ କିଲୋଗ୍ରାମ |

ଇସ୍ରୋ କହିଛି ଯେ ଚନ୍ଦ୍ରପୃଷ୍ଠରେ ଅନେକ ଚ୍ୟାଲେଞ୍ଜ ରହିଛି, ଯାହା ମହାକାଶଯାନ ପ୍ରଥମ ଥର ଅନୁଭବ କରିପାରେ । ବିଶେଷ କରି ଚନ୍ଦ୍ରର ଧୂଳି ଏବଂ ତାପମାତ୍ରା ରୋଭର ଉପରେ ପ୍ରଭାବ ପକାଇପାରେ ।