ବାଲେଶ୍ବରରେ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ, ୨ ଗିରଫ

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସ ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ।

ଗିରଫ ଦୁଇ ଜଣ ହେଲେ ଭିଯୁକ୍ତ ହେଲେ ସନ୍ତରାଗଡ଼ିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ସାହରପୁର ଅଞ୍ଚଳର ବୀଣାପାଣି ମୁଖି । ଅଭିଯୁକ୍ତଙ୍କ ଠାରୁ ୧୩୦ଟି ଜାଲ ନୋଟ ଜବତ କରାଯାଇଛି । ସେଥି ମଧ୍ଯରେ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ରହିଛି । ମୋଟ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି ।

ସୂଚନା ଅନୁଯାୟୀ ନୀଳଗିରି ଥାନା ସନ୍ତରାଗଡିଆ ବଜାର ନିକଟସ୍ଥ ଘୁଡ଼ାଡ଼ିଆଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଗତ ମଙ୍ଗଳବାର ସନ୍ତରାଗଡିଆ ବଜାରରେ ନିକଟସ୍ଥ ବ୍ୟାଙ୍କ ଅଫ ବରୋଦା କିଓସ୍କ ଶାଖାରେ ୩୦ହଜାର ଟଙ୍କା ଜମା କରିବାକୁ ଯାଇଥିଲେ। ମାତ୍ର ଉକ୍ତ ଟଙ୍କା ଜାଲ ଥିବାର ଜାଣିପାରି ବ୍ୟାଙ୍କ କର୍ମଚାରୀ ଟଙ୍କା ଫେରସ୍ତ କରିଦେଇଥିଲେ।

ଘଟଣା ପ୍ରଚାରିତ ହେବା ବେଳକୁ ପୂର୍ଣ୍ଣଚନ୍ଦ୍ର ବଜାରର ଚାହା ଦୋକାନ, ମାଛ ଦୋକାନ, ମଦ କାଉଣ୍ଟର, ମୋବାଇଲ ରିଚାର୍ଜ୍ ଦୋକାନ ଆଦିରେ ଜାଲ ଟଙ୍କା ଦେଇ ଠକି ଥିବାର ଅଭିଯୋଗ ହୋଇଥିଲା। ନୀଳଗିରି ପୋଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଓ ବୀଣାପାଣି ଙ୍କ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ଜାଲ ନୋଟ ଜବଦ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସପି ସାଗରିକା ନାଥ ।