ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନର ନାମ “ଶିବଶକ୍ତି” ଘୋଷଣା କଲେ ମୋଦି

ବେଙ୍ଗାଲୁରୁ (ସଂକେତ ଟିଭି) ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି । ‘ଚନ୍ଦ୍ରଯାନ-୩’ ଅବତରଣ କରିଥିବା ସ୍ଥାନର ଆଜି ନୂଆ ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚନ୍ଦ୍ରଯାନ-୩ ଯେଉଁଠି ଅବତରଣ କରିଥିଲା ସେହି ସ୍ଥାନର ନାମ ଶିବଶକ୍ତି ଓ ଚନ୍ଦ୍ରଯାନ-2ର ପଦଚିହ୍ନ ସ୍ଥଳକୁ ତ୍ରିରଙ୍ଗା ନାମ ରଖିଛନ୍ତି ।

ସେହିପରି ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ବିଦେଶ ଗସ୍ତରୁ ଫେରି ଆଜି(ଶନିବାର) ସକାଳେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚନ୍ଦ୍ରଯାନ-୩ ମିଶନ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କ ପ୍ରଶଂସା କରି କହିଛନ୍ତି, ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ । ଆମେ ସେଠି ପହଞ୍ଚିଛୁ ଯେଉଁଠି ଅନ୍ୟ କେଉଁ ଦେଶ ପହଞ୍ଚି ପାରିନାହିଁ ଏବଂ ଯାହା ହାସଲ କରିଛୁ ଅନ୍ୟ କେହିବି ହାସଲ କରିନାହାନ୍ତି ।
ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଆଜିର ଭାରତ, ନୂତନ ଭାରତ, ଯାହା ଭିନ୍ନ ଭିନ୍ନ ଉପାୟରେ ଚିନ୍ତା କରେ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ବର ଅନେକ ସମସ୍ୟାର ସମାଧାନ କରିବ । ମୁଁ ଆପଣଙ୍କ ଗହଣରେ ଥିବାରୁ ବହୁତ ଖୁସି ଅନୁଭବ କରୁଛି । ଏହି ଖୁସି ବିରଳ ଅଟେ । ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି ଏବଂ ପରେ ଗ୍ରୀସ ଯାଇଥିଲି, କିନ୍ତୁ ମୋର ମନ ଆପଣଙ୍କ ପାଖରେ ଥିଲା । ମୁଁ ଆପଣଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ ଇସ୍ରୋ ମୁଖ୍ୟ ସୋମନାଥଙ୍କୁ କହିଛନ୍ତି ଯେ, ମୁଁ ଆପଣଙ୍କୁ ସଲାମ କରିବାକୁ ଚାହୁଁଥିଲି । ଆପଣଙ୍କ ପରିଶ୍ରମ ଏବଂ ଉତ୍ସାହକୁ ସଲାମ କରୁଛି । ମୋତେ ଅଗଷ୍ଟ 23 ତାରିଖର ପ୍ରତିଟି ମୁହୁର୍ତ୍ତ ମନେ ଅଛି, ଯେତେବେଳେ ଚନ୍ଦ୍ରୟାନ -୩ ଚନ୍ଦ୍ରରେ ପହଞ୍ଚିଥିଲା । ଯେତେବେଳେ ଚନ୍ଦ୍ରଯାନ୩ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ସେହି ସମୟରେ ଇସ୍ରୋରେ ଖୁସିର ଉତ୍ସବ ଆରମ୍ଭ ହୋଇଯାଇଥିଲା । ପୁରା ଦେଶ ଖୁସିରେ ଝୁମି ଉଠିଥିଲା । ଏହା ମୁଁ ଭୁଲି ପାରିବି ନାହିଁ । ପ୍ରତ୍ୟେକ ଭାରତୀୟ ଅନୁଭବ କରିଥିଲେ ଯେ ଏକ ବଡ ପରୀକ୍ଷା ପାସ ହୋଇଯାଇଛନ୍ତି । ଏହା ଆପଣଙ୍କ କଠିନ ପରିଶ୍ରମ ଓ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।