ପଞ୍ଜାବରେ ରାଷ୍ଟ୍ରପତି ଶାସନର ଧମକ ଦେଲେ ରାଜ୍ୟପାଳ

ଚଣ୍ଡିଗଡ (ସଂକେତ ଟିଭି) ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଦିନକୁ ଦିନ ଡ୍ରଗ୍ସ ସମେତ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ବଢୁଥିବା କହି ବର୍ଷିଥିଲେ ରାଜ୍ୟପାଳ । ପଞ୍ଜାବରେ କ୍ଷମତାଶୀଳ ସରକାର ସମ୍ବିଧାନର ନିୟମ ଉଲ୍ଲଘଂନ କରୁଥିବା ଉଲ୍ଲେଖ କରିବା ସହିତ ନିଶାଦ୍ରବ୍ୟ କାରବାର ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ସେପଟେ ପ୍ରେସମିଟ୍ କରି ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମାନ । ସେ କହିଛନ୍ତି, ହିଂସା ପ୍ରସଙ୍ଗରେ ରାଜ୍ୟପାଳ ନୀରବ ରହିଛନ୍ତି । ପଞ୍ଜାବ ତଥା ହରିୟାଣା ରାଜ୍ୟପାଳ ବନୱରୀଲାଲ ପୁରୋହିତ ନିକଟରେ ନୁହରେ ହୋଇଥିବା ଦଙ୍ଗା ପ୍ରସଙ୍ଗରେ କାହିଁକି ମୁହଁ ଖୋଲିନାହାନ୍ତି ? ହରିୟାଣାରେ ହତ୍ୟାକାଣ୍ଡ ଘଟିଥିଲା, କିନ୍ତୁ ରାଜ୍ୟପାଳ ଥରେ ବି ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟ୍ଟରଙ୍କୁ ନୋଟିସ ପଠାଇ ନାହାନ୍ତି । ହେଲେ ପଞ୍ଜାବ ଭଳି ଶାନ୍ତିପ୍ରିୟ ରାଜ୍ୟରେ ଜନସାଧାରଣ ଖୁସି ଥିବା ସତ୍ତ୍ବେ ସେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଧମକ ଦେଉଛନ୍ତି ।

ଏହାସହ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ଆପ୍ ମୁଖପାତ୍ର ମାଲବୀର ସିଂ କଙ୍ଗ । ସେ କହିଛନ୍ତି, ରାଜ୍ୟପାଳଙ୍କୁ ନିଜ ମର୍ଯ୍ୟାଦା ଭିତରେ ରହିବାର ଆବଶ୍ୟକତା ରହିଛି । ପଞ୍ଜବରେ ଜନତାଙ୍କ ଦ୍ବାରା ନିର୍ବାଚିତ ହୋଇ ସରକାର କରିଛି ଆପ୍ । ମୁଖ୍ୟମନ୍ତ୍ରୀ ମଧ୍ୟ ପଞ୍ଜାବର ଜନତାଙ୍କ ଦ୍ବାରା ନିର୍ବାଚିତ । ରାଜ୍ୟପାଳ କେବଳ ବିଜେପିର ମୁଖପାତ୍ର ସାଜି ଏପରି କହୁଛନ୍ତି ।