ହଷ୍ଟେଲ ନିର୍ମାଣରେ କରିଥିଲେ ବ୍ୟାପକ ଦୁର୍ନୀତି, ଠିକାଦାର ବାପପୁଅଙ୍କୁ ବାନ୍ଧିଲା ଭିଜିଲାନ୍ସ
କଟକ ( ସଂକେତ୍ ଟିଭି ) ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ହିନ୍ଦୁସ୍ତାନ ଷ୍ଟିଲ୍ ୱାର୍କସ କନଷ୍ଟ୍ରକ୍ସନ ଲିମିଟେଡ଼ ସଂସ୍ଥାର ଠିକାଦାର ବାପା ଓ ପୁଅଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ କୁମାର ଅଗ୍ରୱାଲ। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ଆସିଥିବା ପାଖାପାଖି ୩୪ ଲକ୍ଷ ଟଙ୍କା ଅର୍ଥ ସେମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟେକ୍ନିକାଲ୍ ଟିମ୍ ଯାଞ୍ଚ କରିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ନେଇ ପ୍ରମାଣ ପାଇଥିଲା । ହଷ୍ଟେଲର କାନ୍ଥ, ଛାତ, କବାଟ ଝରକା ବନ୍ଧ ଆଦି ଅତି ନିମ୍ନ ମାନର କରାଯାଇଛି । ଇଲେକ୍ଟ୍ରିକାଲ ଏବଂ ସାନିଟାରୀ କାମ ମଧ୍ୟ ଅତି ନିମ୍ନମାନର କରାଯାଇଥିବା ତଦନ୍ତ ବେଳେ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୪ ଲକ୍ଷରୁ ଟଙ୍କାରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଥିବା କଟକ ଭିଜିଲାନ୍ସ ସେଲ୍ ଏସ୍ପି ଏମ୍ ରାଧାକୃଷ୍ଣ କହିଛନ୍ତି ।
ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଓ ଦୀପକ ବଳାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ରାଉରକେଲାରୁ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଭିଯୁକ୍ତ ବାପପୁଅଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ମଧ୍ୟ ଭିଜିଲାନ୍ସ ସନ୍ଦେହ କରୁଛି । ତେଣୁ ଏନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ କରାଯାଉଛି । ଏହାସହ ଏହି ସଂସ୍ଥାର ଅନ୍ୟ କାର୍ଯ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସପି କହିଛନ୍ତି ।
ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଓ ଦୀପକ ବଳାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ରାଉରକେଲାରୁ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏବେ ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ଅଫିସକୁ ଆଣି ପଚାରାଉଚରା କରାଯାଉଛି ।