ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର କହିଲା ଚୀନ
ନୂଆଦିଲ୍ଲୀ( ସଂକେତ୍ ଟିଭି ) ଚୀନ ଆନୁଷ୍ଠାନିକ ଭାବେ ଏହାର ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରିଛି । ଯେଉଁଥିରେ, ଅରୁଣାଚଳ ପ୍ରଦେଶ ସାମିଲ ଅଛି । ମାନଚିତ୍ରରେ ଅରୁଣାଚଳ ସହ ଅକ୍ସାଇ ଚୀନ ଅଞ୍ଚଳ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜ ଅଞ୍ଚଳ ଭାବେ ଚୀନ ଦାବି କରିଛି ।
ଚୀନର ସରକାରୀ ଖବରକାଗଜ ଗ୍ଲୋବଲ ଟାଇମ୍ସ X (ପୂର୍ବର ଟ୍ବିଟର)ରେ ଲେଖିଛି, ଚୀନର ମାନକ ମାନଚିତ୍ରର ୨୦୨୩ ସଂସ୍କରଣ ଆନୁଷ୍ଠାନିକ ଭାବେ ସୋମବାର ଜାରି ହୋଇଛି ଏବଂ ପ୍ରାକୃତିକ ସମ୍ବଳ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ମ୍ୟାପ ସର୍ଭିସ୍ ୱେବସାଇଟ୍ରେ ଲଞ୍ଚ୍ କରାଯାଇଛି । ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଦର୍ଶାଯାଇଥିବା ଏହି ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଚୀନର ଦକ୍ଷିଣ ତିବ୍ଦତ ଭାବେ ଦାବି କରାଯାଇଛି । ଏହାସହିତ ତାଇୱାନର ଏକ ଦ୍ବୀପ ଓ ଦକ୍ଷିଣ ଚୀନ ସାଗରର ଏକ ବଡ଼ ଅଂଶକୁ ମାନଚିତ୍ରରେ ସାମିଲ କରିଛି । ଏହାପୂର୍ବରୁ ଡ୍ରାଗନ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନର ନାମକରଣ କରିଥିଲା ।
ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ବହୁ ପୁରୁଣା । ଚୀନ ସୀମା ସହିତ ଭାରତର ଲଦ୍ଦାଖ ଓ ଅରୁଣାଚଳ ପ୍ରଦେଶର ସୀମା ଲାଗି ରହିଛି । ଯେଉଁଠି ଅନେକ ସମୟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥାଆନ୍ତି । ଚୀନ୍ ଭାରତର ଭୂଖଣ୍ଡ ଉପରେ ନିଜର ଦାବି ଜାହିର କରି ନୂଆ ମାନଚିତ୍ର ଜାରି କରିଥାଏ । ହେଲେ ଭାରତ ବାରମ୍ବାର ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସବୁବେଳେ ରହିବ ବୋଲି ଚୀନକୁ ଚେତାଇ ଆସୁଛି ।
ଆସନ୍ତା ମାସରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ମଧ୍ୟ ସାମିଲ ହେବେ । ଏହାପୂର୍ବରୁ ବ୍ରିକ୍ସ ସମ୍ମିଳନୀରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା ଏବଂ ସୀମା ବିବାଦ ଉପରେ ଆଲୋଚନା କରାଯାଇଥିଲା । ଏହାସତ୍ତ୍ବେ ଚୀନ ନୂଆ ମାନଚିତ୍ର ଜାରି କରିଛି ।
କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡକେ ଚୀନର ଏହି ଚାଲାକିକୁ ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି କଡା ସମାଲୋଚନା କରି କହିଛନ୍ତି ଯେ ଚୀନକୁ ପ୍ରଧାନମନ୍ତ୍ରୀ ଭାରତର ଜମି ନେବା ପାଇଁ ଫ୍ରି ପାସ୍ ଦେଇଛନ୍ତି ।
ଗଲଓ୍ବାନରେ ଚୀନର ଅନୁପ୍ରବେଶ ରୋକିବାକୁ ଯାଇ ଭାରତର ୨୦ ଜଣ ସୈନିକ ପ୍ରାଣ ହରାଇଥିଲେ । ଭାରତର ହଜାର ହଜାର କିଲୋମିଟର ଜମି ଚୀନ ଅକ୍ତିଆର କରିସାରିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି ଯେ “ଆମ ଅଞ୍ଚଳକୁ କେହି ପ୍ରବେଶ କରିନାହାଁନ୍ତି”। ଏହା କହି ଚୀନକୁ ଫ୍ରି ପାସ୍ ଦେଉଛନ୍ତି ବୋଲି ଖଡକେ କହିଛନ୍ତି ।
ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ଦାବି କରିଛନ୍ତି। “(ପ୍ରଧାନମନ୍ତ୍ରୀ) ବ୍ରିକ୍ସ ସମ୍ମିଳନୀକୁ ଯାଇ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ବର୍ତ୍ତମାନ ଏହି ମାନଚିତ୍ରଟି ବାହାରକୁ ଆସିଛି ।ରାହୁଲ ଗାନ୍ଧୀ ଯାହା କହିଛନ୍ତି ତାହା ସତ୍ୟ ଯେ ଲଦାଖରେ ଚୀନ୍ ସୀମା ଉଲ୍ଲଂଘନ କରିଛି। ଚୀନ୍ ଅରୁଣାଚଳରେ ମଧ୍ଯ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଯଦି ଆପଣଙ୍କର ସଦ ସାହାସ ଅଛି ତେବେ ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରନ୍ତୁ ବୋଲି ରାଉତ କହିଛନ୍ତି।