ସରକାରୀ ମେଡିକାଲ କଲେଜର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ୍ ଟିଭି) : ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ହାଉସ୍‌ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପ୍ରାୟ ୧୭୦୦ ହାଉସ୍‌ ସର୍ଜନମାନେ ବର୍ଦ୍ଧିତ ହାରରେ ପାଇବେ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି ।

ଡାଇନାମିକ୍‌ ଷ୍ଟାଇପେଣ୍ଡ ଅନୁସାରେ କାର୍ଯ୍ୟରତ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍‌ ଅଧୀନ ଆସିଷ୍ଟାଣ୍ଟ ସର୍ଜନମାନେ ପାଉଥିବା ଦରମାର ୫୦% ଅର୍ଥ ଷ୍ଟାଇପେଣ୍ଡ ଭାବେ ହାଉସ୍‌ ସର୍ଜନମାନଙ୍କୁ ପ୍ରଦାନ କରାଯିବ । ଏହା ଦ୍ୱାରା ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ୧୧୫୦ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଫରେନ୍‌ ୟୁନିଭର୍ସିଟିରୁ ଆସି କାର୍ଯ୍ୟରତ ୫୦୦ ହାଉସ୍‌ ସର୍ଜନ ଏହା ଦ୍ୱାରା ଉପକୃତ ହେବେ ।

ସମ୍ପ୍ରତି ଆସିଷ୍ଟାଣ୍ଟ ସର୍ଜନମାନଙ୍କୁ ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ବେତନ ମିଳୁଥିବା ବେଳେ ସେହି ଅନୁସାରେ ହାଉସ୍‌ ସର୍ଜନମାନଙ୍କୁ ପ୍ରାୟ ୪୦ ହଜାର ଟଙ୍କା ମିଳିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ହାଉସ୍‌ ସର୍ଜନମାନଙ୍କୁ ପ୍ରାୟ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା । ପ୍ରତି ତିନି ବର୍ଷରେ ଥରେ ସରକାର ବିଚାର କରି ଷ୍ଟାଇପେଣ୍ଡ ବୃଦ୍ଧି କରିଥାନ୍ତି । ତେବେ ଅନେକ ସମୟରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ହାଉସ୍‌ ସର୍ଜନମାନେ ଦାବି କରି ଆସୁଥିଲେ । ସମ୍ପ୍ରତି ସେମାନଙ୍କୁ ପ୍ରାୟ ୨୮ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି । ଆଜିର ନିଷ୍ପତ୍ତି ପରେ ସେମାନଙ୍କର ଷ୍ଟାଇପେଣ୍ଡ ବୃଦ୍ଧି ପାଇଛି ।