ଏକକ ନିର୍ବାଚନ ବିଚାର ଭାରତର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି ) ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତୀୟ ସଂଘୀୟ ବ୍ୟବସ୍ଥା ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଆଜି ଏକ୍ସରେ ଟ୍ବିଟ୍ କରି କହିଛନ୍ତି, ଇଣ୍ଡିଆ ହେଉଛି ଭାରତ । ଏହା ରାଜ୍ୟଗୁଡିକର ଏକ ସମଷ୍ଟି । ‘ଗୋଟିଏ ଦେଶ- ଗୋଟିଏ ନିର୍ବାଚନ’ ନୀତି ଦେଶ ଓ ରାଜ୍ୟଗୁଡିକ ଉପରେ ଆକ୍ରମଣ ।
ଏକକାଳୀନ ନିର୍ବାଚନ କରିବା ନେଇ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ କଂଗ୍ରେସ ସାଂସଦମାନେ ଟୁଇଟ୍ କରିଛନ୍ତି। ଏହି କମିଟିରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ସ୍ଥାନ ମିଳିଥିଲା । ମାତ୍ର ସେ ଏହି କମିଟିରେ ସାମିଲ ହେବେ ନାହିଁ ମନା କରିସାରିଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ଯ ଏହି କମିଟିରେ ସଦସ୍ୟ ଭାବେ ଚୟନ କରାନଯିବାକୁ ନେଇ ମଧ୍ୟ ଅଧୀର ଦୁର୍ଭାଗ୍ୟଜନକ କହିଥିଲେ ।
ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଏହି ପ୍ରସ୍ତାବର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବା ନେଇ ସରକାର ଘୋଷଣା କରିଥିଲେ । ହେଲେ କମିଟିର ରୂପରେଖ, ସଦସ୍ୟଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନଥିଲା । ଗତକାଲି ଆଇନ ମନ୍ତ୍ରଣାଳୟ ଏକ ଆଠ ଜଣିଆ ଉଚ୍ଚସ୍ତରୀୟ କମିଟି ଘୋଷଣା କରିଥିଲା । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବାକୁ ଥିବା ବେଳେ କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ, ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ, ପୂର୍ବତନ ଲୋକସଭା ସଚିବ ସୁଭାଷ ସି.କଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ କମିଟିରେ ସ୍ଥାନ ମିଳିଥିଲା । ହେଲେ ନାମ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଧୀର ରଞ୍ଜନ ଏହି କିମିଟିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।