ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୧୯ ତାରିଖରେ ନୂଆ ସଂସଦ ଭବନର ରାଜ୍ୟସଭା ଏବଂ ଲୋକସଭାରେ ପ୍ରଥମ ଅଧିବେଶନ ହେବ। ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରେ ପୁରୁଣା ଭବନରେ ହିଁ ଆରମ୍ଭ ହେବ। ପ୍ରଥମ ଦିନ ଅର୍ଥାତ୍‍ ୧୮ ତାରିଖ ଦିନ ପୂର୍ବ ଭଳି ବର୍ତ୍ତମାନର ସଂସଦଭବନରେ ଅନୁଷ୍ଠିତ ହେବ। ସେଠାରେ ସରକାର ଏହି ଗୃହର ମହତ୍ତ୍ୱ ବିଷୟରେ ସୂଚନା ଦେଇ ନୂଆ ଗୃହକୁ ଯିବା ଲାଗି ପ୍ରସ୍ତାବ ପାରିତ କରିବେ। ଏହାପରେ ୧୯ ତାରିଖ ଦିନ ଗୃହ କାର୍ଯ୍ୟ ନୂତନ ଗୃହରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିଥିଲେ ଏବଂ ଏହାକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ।

ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନ ମୌସୁମୀ ଅଧିବେଶନ ଶେଷ ହେବାର ମାତ୍ର ୫ ସପ୍ତାହ ମଧ୍ୟରେ ଡକାଯାଇଛି। ଏଯାଏ ଏହାର ଏଜେଣ୍ଡା ବିଷୟରେ କୌଣସି ସୂଚନା ଦିଆ ଯାଇ ନାହିଁ। ବିରୋଧୀଙ୍କ ପକ୍ଷରୁ ଏ ନେଇ ଅଭିଯେଗ ମଧ୍ୟ କରାଯାଇଛି। ଯଦିଓ କଂଗ୍ରେସ ଏହି ଅଧିବେଶନରେ ଯୋଗ ଦେଇ ଲୋକଙ୍କ କଥା ଉଠାଇବାକୁ ନିଷ୍ପତ୍ତି ନେଇଛି କିନ୍ତୁ ସମସ୍ତ ୫ଟି କାର୍ଯ୍ୟ ଦିବସକୁ ସରକାରୀ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଥିବାରୁ ଏଥିଲାଗି କୌଣସି ଅନୁମତି ମିଳି ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସଂସଦୀୟ ଦଳ ଚେୟାରପର୍ସନ ସୋନିଆ ଗାନ୍ଧି କହିଛନ୍ତି। ୯ଟି ପ୍ରସଙ୍ଗ ପ୍ରସ୍ତାବ ଦେବା ସହ ସେ ସଂସଦରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖି ଜଣାଇଛନ୍ତି। ଏହି ଅଧିବେଶନକୁ ବିରୋଧୀ ଦଳ ବା ଅନ୍ୟ ରାଜନୈତିକ ଦଳ ସହ ଆଲୋଚନା ବିନା ଡକାଯାଇଥିବା ସେ କହିଛନ୍ତି।