ବିଜେଡିକୁ ‘ବ୍ଲାକ୍ମେଲିଂ କରୁଛନ୍ତି ସୌମ୍ୟ ପଟ୍ଟନାୟକ ‘: ଅତନୁ ସବ୍ୟସାଚୀ
ଭୁବନେଶ୍ବର (ସଂକେତ୍ ଟିଭି) ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରେ ଥାଇ ବିଜେଡିକୁ ବ୍ଲାକମେଲ କରୁଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ।
ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘ସୌମ୍ୟଙ୍କ ରାଜନୀତିକ ଇତିହାସକୁ ଯଦି ଆପଣ ଦେଖିବେ ସେ କେତେଥର ଦଳ ବଦଳାଇଲେଣି, ଆଗାମୀ ଦିନରେ କୁଆଡ଼ ଯିବେ ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି। ଗୋଟିଏ ଦଳରେ ରହି ତାକୁ ବ୍ଲାକମେଲିଂ କରିବାର ଯେଉଁ ପ୍ରୟାସ ସେ କରିଛନ୍ତି ତାହା ଦ୍ୱାରା ସେ କେବେ ତାଙ୍କର ଲକ୍ଷ୍ୟରେ ସେ ପହଞ୍ଚିପାରିବେନି। ବିଗତ ଦିନମାନଙ୍କରେ ସେ ମଧ୍ୟ ଅନେକ ଥର ବ୍ଲାକମେଲିଂ ଉଦ୍ୟମ କରିଥିଲେ। ଆଜି ବି ସେ ବ୍ଲାକମେଲିଂକୁ ଆୟୁଦ୍ଧ କରିଛନ୍ତି। ବିଜେଡି ଏଥିରେ ପ୍ରଭାବିତ ହେବ ନାହିଁ। ଦଳ କେତେବେଳେ କି ନିଷ୍ପତ୍ତି ନେବ ତାହା ଦଳର ସୁପ୍ରିମୋ କହିବେ। ଅତନୁଙ୍କ ଏହି ବୟାନ ଇଙ୍ଗିତ କରୁଛି ଯେ, ବିଜୁ ଜନତା ଦଳ ଆଉ ତାଙ୍କ ଉପରେ ଭରସା କରୁନାହିଁ। କେତେବେଳେ ବି ତାଙ୍କ ବିରୁଦ୍ଧରେ କିଛି ନିଷ୍ପତ୍ତି ଘୋଷଣା ହୋଇପାରେ।
ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ତାଙ୍କର ଟାର୍ଗେଟ୍ ପ୍ରସଙ୍ଗରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଲୋକଙ୍କ ପାଖକୁ ଗଲା। ଅଭିଯୋଗ ଆଣିଲା ଏବଂ ତାହାକୁ ସମାଧାନ କଲା। ଏଥିରେ ତାଙ୍କର କ’ଣ ଅସୁବିଧା ହେଲା। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜନୀତିକ ବୟାନବାଜୀର ଉତ୍ତର ଦେଇପାରିବ ନାହିଁ। ହେଲେ ସୌମ୍ୟଙ୍କ ଆଚରଣ ଆଦୌ ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ସେପଟେ ସୌମ୍ୟ କଡ଼ା ଭାଷାରେ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି କି ବିଜେଡି ନେତାଙ୍କ ପାଖରେ ଶବ୍ଦର ଅଭାବ ରହିଛି। ବ୍ଲାକ୍ମେଲିଂ ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ। ଅତନୁଙ୍କୁ ପାଟକୁରା ଗାନ୍ଧୀଙ୍କ ପୁଅ ବୋଲି ଲୋକେ ଜାଣନ୍ତି। କିନ୍ତୁ ପାଟକୁରା ଗାନ୍ଧୀ ଏତେ ମିଛ କହିବେ ବୋଲି କେହି କହିବେ ନାହିଁ। କୌଣସି ବ୍ୟକ୍ତିଙ୍କ ଚାପରେ ସେ ଏକଥା କହୁଛନ୍ତି। ତାଙ୍କ ନିଜ କଥା ନୁହେଁ। ନକହିଲେ ତାଙ୍କର ପେଟ ପାଟଣା ଭୟ ରହିଛି। ଥରେ ମନ୍ତ୍ରୀ ପଦ ହରାଇଥିଲେ। ଏବେ ନକହିଲେ ଆଉଥରେ ମନ୍ତ୍ରୀ ପଦ ହରାଇପାରନ୍ତି ବୋଲି କହିଛନ୍ତି ସୌମ୍ୟ। ଏହାସହ ସେ କହିଛନ୍ତି ଯେ ଏ ରାଜନେତାମାନେ ଏତେ ଅସହାୟ ଯେ ଉପରୁ ଯାହା କୁହାଯାଉଛି ତାହା କହିବାକୁ ବାଧ୍ୟ ହେଉଛନ୍ତି।
ଅତନୁଙ୍କ ପୂର୍ବରୁ ଗତକାଲି ବିଜେଡିର ଅନ୍ୟତମ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଅନୁରୂପ ଭାବେ ସୌମ୍ୟଙ୍କୁ ଟାର୍ଗେଟ୍ କରିଥିଲେ। ‘ସୌମ୍ୟ କିଛିଦିନ ହେଲା ବିଚଳିତ ଅଛନ୍ତି ଓ ଉଦ୍ଭଟ କଥା କହୁଛନ୍ତି ବୋଲି ସେ କହିଛନ୍ତି। ୪ବର୍ଷ ୪ ମାସ ପରେ ସେ ଖଣ୍ଡପଡ଼ା ମାଟିର ସେବା କରି ନାହାନ୍ତି। ସମାଜ ସେବାର ନାଁ ଗନ୍ଧ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ କରିବା, ନିଜକୁ ଜଣେ ବିରାଟ ସମାଜ ସେବୀ ଭାବେ ଉପସ୍ଥାପନ କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ଅତନୁ। ଏହା ଅସ୍ଥିରତାର ଲକ୍ଷଣ। ତାଙ୍କର ମନ୍ତ୍ରୀ ପଦ ନପାଇବା ଏବଂ କ୍ଷମତାର ଲାଳସା ଚୁରମାର ହେବା ପରେ ସେ ହତାଶ ହୋଇ ଅନେକ କଥା କହୁଛନ୍ତି।’ ତାଙ୍କ କଥାକୁ ଉଦ୍ଦଶ୍ୟମୂଳକ ବୋଲି ଅରୁଣ କହିଥିଲେ।
ଏହାର ଉତ୍ତରରେ ସୌମ୍ୟ କହିଥିଲେ, ତାଙ୍କ ଲେଖା ଅରୁଣଙ୍କୁ ଆନ୍ଦୋଳିତ କରିଛି। କିନ୍ତୁ ସେ ନିଜ କଥା କହି ନାହାନ୍ତି ତାଙ୍କୁ ଦିଆଯାଇଥିବା ଲେଖାକୁ ସେ ବାଧ୍ୟ ହୋଇ ଗଣମାଧ୍ୟମରେ କହିଛନ୍ତି।
କିଛିଦିନ ତଳେ ସୌମ୍ୟ ଏକ ସମ୍ପାଦକୀୟ ପ୍ରକାଶ କରିଥିଲେ, ଯାହାର ଶୀର୍ଷକ ଥିଲା ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’। ଏହି ସମ୍ପାଦକୀୟ ରାଜ୍ୟରେ ନେତା ନୁହେଁ ଜଣେ ଅଧିକାରୀଙ୍କ ଇଙ୍ଗିତରେ ଶାସନ ଚାଲୁଥିବା ସ୍ପଷ୍ଟ କରିଥିଲା। ରାଜ୍ୟରେ ନେତାମାନଙ୍କ ରାଜନୀତିକ ଅଂଶଗ୍ରହଣ ଏହି ସଚିବଙ୍କ ଦ୍ୱାରା ହଡ଼ପ ହୋଇଥିବା ସେ ଏଥିରେ ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍ଙ୍କ ଜିଲ୍ଲାଗସ୍ତକୁ ସେ ଏଥିରେ ସମାଲୋଚନା କରିଛନ୍ତି।